ଭୁବନେଶ୍ୱର,୨୨/୧(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଦଳ ପକ୍ଷରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୋରଦାର ଟାର୍ଗେଟ କରାଯିବା ସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଚାର୍ଜସିଟ୍ ବା ଅଭିଯୋଗ ପତ୍ର ଜାରି କରାଯାଇଛି। ବିଜେପିକୁ ‘ଭ୍ରଷ୍ଟ ଜୁମଲା ପାର୍ଟି’ର ଆଖ୍ୟା ଦେବାସହିତ କଂଗ୍ରେସ ଅଭିଯୋଗ କରିଛି ଯେ ଏହି ଦଳର ମନ୍ତ୍ର ହେଉଛି ‘କୁଛ କା ସାଥ, ଖୁଦ୍ କା ବିକାଶ, ସବକେ ସାଥ ବିଶ୍ଵାସଘାତ’।
ଏହାସହିତ କଂଗ୍ରେସ ଘୋଷଣା କରିଛି ଯେ, ଭାରତ ଯୋଡୋ ଯାତ୍ରାର ନେତୃତ୍ଵ ନେଉଥିବା ରାହୁଲ ଗାନ୍ଧୀ ଶ୍ରୀନଗରର ଲାଲଚୌକରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହା ପରେ ଶେର ଏ କାଶ୍ମୀର ଷ୍ଟାଡିୟମରେ ଏକ ଜନସଭାକୁ ସମ୍ବୋଧିତ କରିବେ। ଏଥିସହ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚାଲିଥିବା ପଦଯାତ୍ରାର ପରିସମାପ୍ତି ଘଟିବ।
କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକଙ୍କୁ ସମ୍ବୋଧିତ କରି ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ ଏବଂ କେସି ବେଣୁଗୋପାଳ ପାର୍ଟିର ପରବର୍ତ୍ତୀ ଅଭିଯାନ ‘ହାଥ ସେ ହାଥ ଯୋଡୋ’ର ଲୋଗୋ ଉନ୍ମୋଚନ କରିଛନ୍ତି। ଏହି ଲୋଗୋ ଭାରତ ଯୋଡୋ ଯାତ୍ରା ଲୋଗୋ ପରି ସମାନ। କେବଳ ଏତିକି ପାର୍ଥ୍ୟକ୍ୟ ଏଥିରେ କଂଗ୍ରେସର ନିର୍ବାଚନୀ ଚିହ୍ନ ‘ହାତ’କୁ ଯୋଡା ଯାଇଛି ଏବଂ ଦର୍ଶାଯାଇଛି ଯେ ଏହି ଅଭିଯାନ ଶତ ପ୍ରତିଶତ ରାଜନୈତିକ ହେବ।
ବେଣୁଗୋପାଳ କହିଛନ୍ତି, ଜାନୁଆରୀ ୨୬ରୁ ଆରମ୍ଭ ହେଉଥିବା କଂଗ୍ରେସର ଅଭିଯାନ ଆଧାରରେ ପାର୍ଟି ଚାର୍ଜସିଟ୍ ଏବଂ ଯାତ୍ରାର ସନ୍ଦେଶ ସହିତ ରାହୁଲଙ୍କ ପତ୍ରକୁ ଘର ଘର ପର୍ଯ୍ୟନ୍ତ ପହଞ୍ଚାଇବ। କଂଗ୍ରେସ ଦ୍ଵାରା ବିଜେପି ବିରୋଧରେ ଜାରି ଚାର୍ଜସିଟ୍ ଏକ ପୃଷ୍ଠା ବିଶିଷ୍ଟ। ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା- କୁଛ କା ସାଥ, ଖୁଦ୍ କା ବିକାଶ ଏବଂ ସବକେ ସାଥ ବିଶ୍ଵାସଘାତ।
କୁଛ କା ସାଥ ଖଣ୍ଡ ଆଧାରରେ ପାର୍ଟି ଅଭିଯୋଗ କରିଛି ଯେ, କିଛି ବଛା ବଛା ବ୍ୟବସାୟୀଙ୍କ ଋଣଛାଡ, ଭାରତର ୬୪ ପ୍ରତିଶତ ସଂପତ୍ତି ରଖିଥିବା ୧୦ ପ୍ରତିଶତ ଧନୀଙ୍କ ପ୍ରତି ବିଜେପି ସରକାର ଦରଦ ଦେଖାଉଛି। ବେଣୁଗୋପାଳ କହିଛନ୍ତି, ଚାର୍ଜସିଟ୍ ସହ ପାର୍ଟି ସମ୍ବନ୍ଧିତ ରାଜ୍ୟ ସଭାପତି ଏବଂ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗପତ୍ର ପ୍ରସ୍ତୁତ କରିବ।





