ଭୁବନେଶ୍ୱର,୧୦/୧ (ସତ୍ୟପାଠ ବ୍ୟୁରୋ): ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଏବେ ଜୋରଦାର ପ୍ରସ୍ତୁତି ଚାଲିଛି | ଦେଶର ଅନେକ ବଡ ବଡ ନେତା, ସାଧୁସନ୍ଥମାନଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇଛି | ଅନ୍ୟପଟେ ଏହାକୁ ନେଇ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। ଏହି କ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିଜେପି ଉପରେ ବର୍ଷିଛନ୍ତି।
ମମତା କହିଛନ୍ତି ଯେ, ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିରର ଉଦଘାଟନ କରି ବିଜେପି ଡ୍ରାମା କରୁଛି। ପଶ୍ଚିମବଙ୍ଗର ଜୟନଗରରେ ମମତା କହିଛନ୍ତି, ମୋତେ ରାମ ମନ୍ଦିର ବିଷୟରେ ପଚରାଯାଇଥିଲା। ମୁଁ ସେହି ଉତ୍ସବରେ ବିଶ୍ୱାସ କରେ ଯାହା ସମସ୍ତଙ୍କୁ ଏକତ୍ର କରିଥାଏ। ନିର୍ବାଚନ ପୂର୍ବରୁ ଆପଣ ଯାହା ଚାହାଁନ୍ତି ତାହା କରନ୍ତୁ। ନିର୍ବାଚନ ପୂର୍ବରୁ ସେମାନେ ଡ୍ରାମା କରୁଛନ୍ତି। ମୋର କୌଣସି ଅସୁବିଧା ନାହିଁ। ତେବେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଅବହେଳା କରିବା ଠିକ୍ ନୁହେଁ | ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଈଶ୍ୱର-ଆଲ୍ଲାଙ୍କ ନିକଟରେ ଶପଥ କରୁଛି ଯେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ହିନ୍ଦୁ ଏବଂ ମୁସଲମାନମାନଙ୍କ ମଧ୍ୟରେ ଭେଦଭାବ କେବେବି କରିବି ନାହିଁ। ମୁଁ ଧର୍ମ ଆଧାରରେ ଲୋକଙ୍କୁ ବିଭାଜନ କରିବାରେ ବିଶ୍ୱାସ କରେ ନାହିଁ।
ସୂଚନାଯୋଗ୍ୟ ଯେ, ଜାନୁୟାରୀ ୨୨ରେ ହେବାକୁ ଥିବା ରାମ ମନ୍ଦିରର କାର୍ଯ୍ୟକ୍ରମ ପାଇଁ ବାନାର୍ଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି, କିନ୍ତୁ ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ବାନାର୍ଜୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ।





