ଭୁବନେଶ୍ୱର,୮/୧(ସତ୍ୟପାଠ ବ୍ୟୁରୋ): ରବିବାର ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ବାମପନ୍ଥୀ ନେତାମାନଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାକୁ ନିବେଦନ କରି ସେ କହିଛନ୍ତି ଯେ, ତାଙ୍କ ଦଳ ବିଜେପି ହେଉଛି ଗଙ୍ଗା ନଦୀ ପରି ଏବଂ ଏଥିରେ ବୁଡ଼ ପକାଇବା ଦ୍ଵାରା ସେମାନଙ୍କ ସମସ୍ତ ପାପ ଧୋଇଯିବ।
ଦକ୍ଷିଣ ତ୍ରିପୁରାର କାକ୍ରାବାନରେ ଅନୁଷ୍ଠିତ ଜନ ବିଶ୍ୱାସ ରାଲିରେ ଲୋକମାନଙ୍କୁ ସମ୍ବୋଧିତ କରି ସାହା କହିଛନ୍ତି ଯେ, ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଜିତିବ ଓ ପୁଣି ସରକାର ଗଠନ କରିବ । ସେ ଆହୁରି କହିଛନ୍ତି ଯେ, ‘ଯେଉଁମାନେ ଷ୍ଟାଲିନ୍ ଏବଂ ଲେନିନଙ୍କ ଆଦର୍ଶରେ ବିଶ୍ୱାସ କରନ୍ତି, ମୁଁ ସେମାନଙ୍କୁ ନିବେଦନ କରୁଛି ଯେ ସେମାନେ ବିଜେପିରେ ଯୋଗ ଦିଅନ୍ତୁ କାରଣ ଏହା ଗଙ୍ଗା ନଦୀ ପରି । ଯଦି ଆପଣ ଏହି ଗଙ୍ଗାରେ ସ୍ନାନ କରନ୍ତି, ତେବେ ଆପଣଙ୍କର ସମସ୍ତ ପାପ ହଟାଇ ଦିଆଯିବ ।’
ସେ ଆହୁରି କହିଛନ୍ତି ଯେ, ‘ଟ୍ରେନ୍ ବଗି ଏପର୍ଯ୍ୟନ୍ତ ଖାଲି ଅଛି। ଖାଲି ବଗିରେ ବସନ୍ତୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ସମସ୍ତଙ୍କୁ ସେହି ଗନ୍ତବ୍ୟସ୍ଥଳକୁ ନେଇଯିବେ ଯେଉଁଠାରେ ଆମେ ରହିବା ଉଚିତ୍ ।’
ଏହାସହିତ ବିରୋଧୀ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ)କୁ ଆକ୍ଷେପ କରି ସାହା ଅଭିଯୋଗ କରିଛନ୍ତି ଯେ କମ୍ୟୁନିଷ୍ଟ ପାର୍ଟି ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଦମନ କରି ବର୍ଷ ବର୍ଷ ଧରି ତ୍ରିପୁରାରେ ଶାସନ କରିଥିଲା ।





