ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ଅନ୍ୟ ଦଳର ବିଧାୟକ ମାନଙ୍କୁ ଅର୍ଥ ଲୋଭ ଦେଉଥିବା ଅଭିଯୋଗ ଲଗାତାର ଭାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରି ଆସିଛନ୍ତି। ବର୍ତ୍ତମାନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ଭୂପେଶ ବିଜେପିକୁ ସମାଲୋଚନା କରିବା ଆଳରେ କହିଛନ୍ତି ଯେ, ବିରୋଧୀ ବିଧାୟକଙ୍କୁ କିଣିବା ପାଇଁ ବିଜେପି ନେତାମାନେ ଟଙ୍କା ବ୍ୟାଗ ଧରି ବୁଲୁଛନ୍ତି । ଏହାକୁ ସହଜରେ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।
ଛତିଶଗଡ ମୁଖ୍ୟମନ୍ତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପି ବିରୋଧୀ ଦଳର ବିଧାୟକଙ୍କୁ କିଣିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରୁଛି । ଏଭଳି କରି ବିଜେପି ବିଭିନ୍ନ ରାଜ୍ୟରେ ଥିବା ବିରୋଧୀ ଦଳ ମାନଙ୍କର ସରକାରରେ ଅସ୍ଥିରତା ସୃଷ୍ଟି କରୁଛି ଓ ନିର୍ବାଚିତ ସରକାର ଗୁଡ଼ିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଜେପି ବିରୋଧୀ ଦଳ ମାନଙ୍କ ସରକାରକୁ ଭାଙ୍ଗିବା ପାଇଁ କ୍ଷମତା ଓ ଅର୍ଥ ଉଭୟର ବ୍ୟବହାର କରୁଥିବା କଥା ବାଘେଲ ଅଭିଯୋଗ କରିଛନ୍ତି ।
ବାଘେଲ ଆହୁରି କହିଛନ୍ତି ଯେ, ବିଜେପି ବିରୋଧୀଦଳ ସରକାରମାନଙ୍କୁ ଇଡି ଓ ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଭୟ ଦେଖାଇ ଭୟଭିତ କରୁଛି । ଏହି ଜାତୀୟ ଏଜେନ୍ସି ଗୁଡିକର ଅପବ୍ୟବହାର କରି ବିଭିନ୍ନ ରାଜ୍ୟରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଛି । ଏହାସହ କେନ୍ଦ୍ର ସରକାର କେବଳ ଭାବପ୍ରବଣ ଭାବେ ଲୋକଙ୍କୁ ଶୋଷଣ କରୁଥିବା କଥା ସେ ଅଭିଯୋଗ କରିଛନ୍ତି । ତେବେ ଝାଡଖଣ୍ଡରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ନେଇ ପ୍ରତିକ୍ରିୟା ରଖି ବାଘେଲ ଏହି ଅଭିଯୋଗ ଆଣିଛନ୍ତି ।





