ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ବିଜେପି ବିଧାୟକଙ୍କ ପୁଅ, ଘରୁ ଜବତ ହେଲା ନଗଦ ୬ କୋଟି ଟଙ୍କା

ଭୁବନେଶ୍ଵର,୩/୩(ସତ୍ୟପାଠ ବ୍ୟୁରୋ): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ। ଗତକାଲି (ଗୁରୁବାର) ତାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ରେଡ୍‌ ହେଣ୍ଡେଡ୍ ଧରିଥିଲା ଲୋକାୟୁକ୍ତ। ଏହାପରେ ସନ୍ଦେହ କରି ତାଙ୍କ ଘରେ ଚଢ଼ାଉ କରିବାରୁ କୋଟି କୋଟି ଟଙ୍କା ଜବତ ହୋଇଛି। ବେଆଇନ ଟଙ୍କା ଜବତ ହେବା ପରେ ଶୁକ୍ରବାର ସକାଳୁ ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ଗତକାଲି ପ୍ରଶାନ୍ତ ମାଦଲ ଅଫିସ୍‌ରେ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତର ଅଫିସରମାନେ ତାଙ୍କୁ ଧରିଥିଲେ। ଏହାପରେ ତାଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଥିଲା। ଏହି ଚଢାଉ ସମୟରେ ତାଙ୍କ ଘରୁ ୬ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ପ୍ରଶାନ୍ତଙ୍କ ଅଫିସ୍‌ରୁ ମଧ୍ୟ ୧.୭ କୋଟି ଟଙ୍କା ଜବତ ହୋଇଛି ବୋଲି ଲୋକାୟୁକ୍ତ ସୂଚନା ଦେଇଛି। ଏହି ମାମଲାରେ ବିଧାୟକ ବିରୁପାକ୍ଷପ୍ପାଙ୍କୁ ମଧ୍ୟ ସମନ କରାଯାଇପାରେ ବୋଲି ସୂଚନା ମିଳିଛି। ଆଗକୁ ରାଜ୍ୟ ନିର୍ବାଚନ ଆସୁଥିବା ବେଳେ ବିଜେପି ବିଧାୟକଙ୍କ ଘରୁ ଏତେ ମାତ୍ରାରେ ଟଙ୍କା ଜବତ ହେବା ଦଳକୁ ଅଡ଼ୁଆରେ ପକାଇଛି।

ସୂଚନାଯୋଗ୍ୟ ଯେ, ବିଧାୟକ ମଦଲ ବିରୁପାକ୍ଷପ୍ପା କର୍ଣ୍ଣାଟକର ସାବୁନ ଓ ଡିଟରଜେଣ୍ଟ ଲିମିଟେଡ୍‌ର ଅଧ୍ୟକ୍ଷ ଅଛନ୍ତି। ଲୋକାୟୁକ୍ତ ଅଫିସରଙ୍କ ସୂଚନା ଅନୁସାରେ, ଗୁରୁବାର ସକାଳେ ଲାଞ୍ଚ ନେଉଥିବା ନେଇ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପ୍ରଶାନ୍ତଙ୍କୁ ଧରିବାକୁ ଯୋଜନା କରିଥିଲେ ଲୋକାୟୁକ୍ତ ଟିମ୍।

ଯୋଜନା ମୁତାବକ ସାଙ୍ଗରେ କ୍ୟାମେରା ଧରି ଟିମ୍‌ର ଅଫିସର ପ୍ରଶାନ୍ତଙ୍କ ଅଫିସରେ ପହଞ୍ଚିଥିଲେ। ଆଉ ତାଙ୍କ ଅଜାଣତରେ ପ୍ରଶାନ୍ତ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ରେଡ୍‌ ହେଣ୍ଡେଡ୍‌ ଧରିଥିଲା ଟିମ୍। କ୍ୟାମେରା ସମ୍ନାରେ ବିଜେପି ବିଧାୟକଙ୍କ ପୁଅଙ୍କର କଳକାରନାମା କଏଦ ହୋଇଛି।

Related Posts