୧୨ ବର୍ଷ ତଳର ମାମଲାରେ ବିଜେପି ସାଂସଦଙ୍କୁ ୨ବର୍ଷ ଜେଲଦଣ୍ଡ, ରଦ୍ଦ ହୋଇପାରେ ସଂସଦ ସଭ୍ୟପଦ !

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ୨୦୧୧ ମସିହାରେ ଏକ ମଲ୍‌ରେ ଭଙ୍ଗାରୁଜା କରିବା ମାମଲାରେ ଏଟାୱା ସାଂସଦ ରାମଶଙ୍କର କଠୋରିଆଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ହୋଇଛି। ଉତ୍ତରପ୍ରଦେଶ ଆଗ୍ରାର ଏକ ଏମ୍‌ପି-ଏମଏଲଏ କୋର୍ଟ ବିଜେପି ସାଂସଦ ରାମଚନ୍ଦ୍ର କଠୋରିଆଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଆଇପିସିର ଧାରା ୧୪୭ ଏବଂ ୩୨୩ ଅଧୀନରେ ସେ ଏହି ମାମଲାରେ ଦୋଷୀସାବ୍ୟସ୍ତ ହୋଇଛନ୍ତି। ୨ ବର୍ଷ ଜେଲ ଦଣ୍ଡ ପରେ ଏବେ ତାଙ୍କର ସଂସଦର ସଦସ୍ୟତା ଯାଇପାରେ ବୋଲି କୁହାଯାଉଛି।

୨୦୧୧ ନଭେମ୍ବର ୧୬ରେ ସେ ଜଣେ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। କଠୋରିଆଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବାରୁ ସେ ତାଙ୍କ ସଂସଦ ସଦସ୍ୟତା ହରାଇବେ ବୋଲି ଜଣାପଡ଼ିଛି। କଠୋରିଆ କହିଛନ୍ତି, ମୁଁ ଆଜି ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲି ଏବଂ କୋର୍ଟ ମୋ ବିରୋଧରେ ନିଷ୍ପତ୍ତି ଶୁଣାଇଲେ। ମୁଁ କୋର୍ଟଙ୍କୁ ସମ୍ମାନ ଦେଉଛି। ଏହି ଦଣ୍ଡାଦେଶ ବିରୋଧରେ ମୁଁ ଉପର କୋର୍ଟରେ ଆବେଦନ କରିବି ବୋଲି କଠୋରିଆ କହିଛନ୍ତି।

ସୂଚନାଥାଉକି ଯେ, ଟୋରେଣ୍ଟ ପାୱାର ଲିମିଟେଡ ଆଗ୍ରାର ସାକେଟ ମଲ ସ୍ଥିତ କାର୍ଯ୍ୟାଳୟରେ ମ୍ୟାନେଜର ଭବେଶ ରସିକ ଲାଲ ଶାହା ବିଦ୍ୟୁତ ଚୋରି ସମ୍ବନ୍ଧୀୟ ମାମଲାର ଶୁଣାଣି କରୁଥିଲେ । ଏହି ସମୟରେ, ସ୍ଥାନୀୟ ସାଂସଦ ରାମ ଶଙ୍କର କଠୋରିଆଙ୍କ ସହ ଆସିଥିବା ୧୦ ରୁ ୧୫ ସମର୍ଥକ ଭବେଶ ରସିକ ଲାଲ ଶାହାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଆକ୍ରମଣ କରିଥିଲେ । ଏଥିରେ ସେ ଆହତ ହୋଇଥିଲେ । ଏହା ପରେ ଟୋରେଣ୍ଟ ପାୱାରର ସୁରକ୍ଷା ନିରିକ୍ଷକ ସମେଧି ଲାଲ ହରିପର୍ଭତ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାକୁ ନେଇ ସାଂସଦ ରାମ ଶଙ୍କର କଠୋରିଆ ଏବଂ ତାଙ୍କ ସମର୍ଥକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

Related Posts