ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ବିଜେପି ସାଂସଦ ପ୍ରତିବାଦ କରିଛନ୍ତି । ବିରୋଧୀ ଇଣ୍ଡିଆ ମେଣ୍ଟ ବିରୋଧରେ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ପ୍ରତିବାଦ କରିଛନ୍ତି ବିଜେପି ସାଂସଦ । ବଂଶବାଦ ରାଜନୀତି ଭାରତ ଛାଡ଼, ଦୁର୍ନୀତି ଭାରତ ଛାଡ ଆଦି ସ୍ଲୋଗାନ ଦେବା ସହ ହୋହାଲ୍ଲା କରିଛନ୍ତି ବିଜେପି ସାଂସଦ । ଏବଂ ତୁଷ୍ଟିକରଣ ରାଜନୀତି ଭାରତ ଛାଡ ବୋଲି ସ୍ଲୋଗାନ ଦେଇଛନ୍ତି ।
ସେପଟେ, ଆଜି ଲୋକସଭାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିଭାଷଣ ରଖିବେ । ଦିନ ୧୨ଟା ବେଳେ ଲୋକସଭାରେ ରାହୁଲ ଗାନ୍ଧୀ ଅଭିଭାଷଣ ରଖିବା ନେଇ କାର୍ଯ୍ୟସୂଚି ଜାରି ହୋଇଛି । ସେହିପରି ଦିନ ୪ଟାରେ ଗୃହମନ୍ତ୍ରୀ ଅମିତ ଶାହା ଅଭିଭାଷଣ ରଖିବେ । ଗତକାଲି ଲୋକସଭା କାର୍ଯ୍ୟସୂଚୀରେ ରାହୁଲ ଗାନ୍ଧୀଙ୍କ ନାଁ ରହିଥିଲେ ମଧ୍ୟ ସେ ଅଭିଭାଷଣ ରଖିନଥିଲେ । ଯାହାକୁ ନେଇ ହଙ୍ଗାମା କରିଥିଲା ବିଜେପି । ସେପଟେ ବିଜେପି ପକ୍ଷରୁ ଆଜି ନିର୍ମଳା ସୀତାରମଣ, ସ୍ମୃତି ଇରାନୀ ଆଲୋଚନାରେ ସାମିଲ ହେବେ ।
ମଙ୍ଗଳବାର ଆଲୋଚନା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଦଳର ସାଂସଦ ତର୍କ ରଖିଥିଲେ । ବିରୋଧୀମାନେ ମୋଦି ସରକାରକୁ ମଣିପୁର ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି । ସେପଟେ ବିଜେପି ସାଂସଦ ମଧ୍ୟ ଏହାର ଜବାବ ରଖିଛନ୍ତି । ହେଲେ ଯେଉଁ ଦୁଇ ଜଣଙ୍କ ଭାଷଣ ଉପରେ ସମସ୍ତଙ୍କ ନଜର ଅଟକିଛି, ସେ ଦୁହେଁ ଏଯାଏ ନିଜ ଭାଷଣ ରଖି ନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଭାଷଣ ଉପରେ ସାରା ଦେଶର ନଜର ରହିଛି ।





