ଭୁବନେଶ୍ଵର,୨୭/୧୨(ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ଦିଲ୍ଲୀ ନଗର ନିଗମ (ଏମସିଡି)ର ମେୟର ପଦବୀ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେପି ଦିଲ୍ଲୀର ମେୟର ପ୍ରାର୍ଥୀ ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରିଛି। ରେଖା ପୂର୍ବରୁ ସାଲିମାର୍ ବାଗ୍ରେ ୩ ଥର କାଉନ୍ସିଲର୍ ହୋଇ ସାରିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନରେ ଦଳ ତାଙ୍କୁ ଚୟନ କରିଛି।ବିଜେପି ରେଖା ଗୁପ୍ତାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବା ବେଳେ ଦ୍ବାରକା କାଉନ୍ସିଲର୍ କମଲଜୀତ୍ ଶେରୱାତ୍ଙ୍କୁ ଷ୍ଟାଣ୍ଡିଂ କମିଟି ମେମ୍ବର ପଦବୀ ପାଇଁ ବାଛିଚି। ସେ ପୂର୍ବରୁ ଦକ୍ଷିଣ ଦିଲ୍ଲୀ ମୁନିସିପାଲ୍ କର୍ପୋରେସନ୍ରୁ ମେୟର ରହି ସାରିଛନ୍ତି।
ତେବେ ଏହା ପୂର୍ବରୁ ଶୁକ୍ରବାର ଆମ୍ ଆଦ୍ମୀ ପାର୍ଟି (ଆପ୍) ଦିଲ୍ଲୀର ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଶେଲି ଓବରୟଙ୍କୁ ମେୟର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିବା ବେଳେ ଡେପୁଟି ମେୟର ପ୍ରାର୍ଥୀ ଭାବେ ଆପ୍ର ମାଟିଆ ମହଲ ବିଧାୟକ ଶୋଇବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ମନୋନୀତ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନଗର ନିଗମର ମେୟର ସିଧାସଳଖ ଭୋଟରଙ୍କ ଦ୍ବାରା ନିର୍ବାଚିତ ହୋଇ ନଥାନ୍ତି। ନିର୍ବାଚିତ ଜନପ୍ରତିନିଧିମାନଙ୍କ ଦ୍ବାରା ପରୋକ୍ଷ ଭୋଟରେ ସେ ନିର୍ବାଚିତ ହୋଇଥାନ୍ତି। ମନୋନୀତ ସଦସ୍ୟମାନଙ୍କର ଏହି ନିର୍ବାଚନରେ ଭୋଟ ଦେବାର ଅଧିକାର ନାହିଁ। କେବଳ ୧୪ ଜଣ ବିଧାୟକ ଓ ୧୦ ଜଣ ଏମ୍ପି ଭୋଟ ଦେଇପାରିବେ। ଆସନ୍ତା ଜାନୁଆରି ୬ ତାରିଖରେ ମେୟର ପଦ ପାଇଁ ନିର୍ବାଚନ ହୋଇପାରେ। ତେବେ ସଦ୍ୟ ସମାପ୍ତ ଏମସିଡି ନିର୍ବାଚନରେ ମୋଟ ୨୫୦ ଆସନ ମଧ୍ୟରୁ ଆପ ୧୩୪ଟି ଆସନ ଜିତିଥିବା ବେଳେ ବିଜେପି ୧୦୪ଟି ଆସନ ଜିତିଛି। ସେହିଭଳି କଂଗ୍ରେସ ୯ଟି ଓ ଅନ୍ୟାନ୍ୟ ପ୍ରାର୍ଥୀ ୩ଟି ଆସନ ଜିତିଛନ୍ତି। ତେବେ ମେୟର ପଦବୀ ପାଇଁ ଆସନ୍ତା ଜାନୁୟାରୀ ୬ରେ ନିର୍ବାଚନ ଅନୁଷ୍ଠିତ ହେବ।





