ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ହରିୟାଣା ଭଳି ମଧ୍ୟପ୍ରଦେଶରେ ମଧ୍ୟ ଦଙ୍ଗା କରିବାକୁ ଷଡ଼ଯନ୍ତ୍ର ରଚୁଛି ବିଜେପି। ଏମିତି କିଛି କହି ବିଜେପିକୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ। ଭୋପାଳର ବିଏସଏସ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଦିଗବିଜୟ ଆହୁରି ମଧ୍ୟ କହିଛନ୍ତି, ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ ଭ୍ରଷ୍ଟାଚାର ବଢିବାରେ ଲାଗିଛି ।
ସେପଟେ ଦିଗବିଜୟଙ୍କ ଏଭଳି ବିସ୍ଫୋରକ ବୟାନ ପରେ କାଉଣ୍ଟର କରିଛି ବିଜେପି। ବିଜେପି ପ୍ରବକ୍ତା ଆଶିଷ ଅଗ୍ରୱାଲ କହିଛନ୍ତି , “ଦଦିଗବିଜୟଙ୍କ ଭଳି ଲୋକ ହିଁ ଦେଶରେ ଦଙ୍ଗା ସୃଷ୍ଟି କରୁଛନ୍ତି। ହେଲେ ସେ ଭୁଲି ଯାଉଛନ୍ତି ଯେ, 2003 ମସିହା ଭଳି ଆଉ ଦିଗବିଜୟଙ୍କ ସରକାର ନାହିଁ। ବର୍ତ୍ତମାନର ସରକାର ହେଉଛି ବିଜେପି ସରକାର। ଆଉ ଯଦି ବି ଦିଗବିଜୟ ଦଙ୍ଗା କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କ ଘର ଆଡେ ବୁଲଡୋଜର ବୁଲିବ ।”
ହରିୟାଣା ନୁହରେ ହୋଇଥିବା ହିଂସା ଭଳି ମଧ୍ୟପ୍ରଦେଶରେ ମଧ୍ୟ ନିର୍ବାଚନ ପୂର୍ବରୁ ହିଂସା ହୋଇପାରେ ବୋଲି ଆକଳନ କରି ବିଜେପିକୁ କଟାକ୍ଷ କରିଛନ୍ତି ଦିଗବିଜୟ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ଆହୁରି ମଧ୍ୟ କହିଛନ୍ତି, “ଯଦି ପୁଣି ଥରେ ବିଜେପି କ୍ଷମତାକୁ ଆସେ, ତେବେ ସେ ବଜରଙ୍ଗ ଦଳରେ ପ୍ରତିବନ୍ଧକ ଲଗାଇବ ନାହିଁ। ଗୁଣ୍ଡାଗର୍ଦ୍ଦି କରୁଥିବା ବ୍ୟକ୍ତି ଓ ଦଙ୍ଗାକାରୀଙ୍କୁ ଅଧିକ ପ୍ରଶୟ ଦେବ। ଏ ଦେଶ ସମସ୍ତଙ୍କ ଦେଶ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହି ଦେଶକୁ ବିଭାଜନ କରିବା ବନ୍ଦ କରନ୍ତୁ ।”
ତେବେ ନିକଟରେ ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସାରେ 2 ପୋଲିସ କର୍ମୀଙ୍କ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଥିଲା। ପୋଲିସ ଉପସ୍ଥିତିରେ ମଧ୍ୟ ହିଂସାକାରୀ ରାଇଫଲରୁ ଗୁଳି ଚଳାଇଥିବା ଦେଖିବାକୁ ମିଳିଥିଲା। ଏପରିକି ପୋଲିସ ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପରିବର୍ତ୍ତେ ନିଜ ଜୀବନ ରକ୍ଷା କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ମଣିପୁରରେ ମଧ୍ୟ ହଂସା ଥମୁନଥିବା ଘଟଣାକୁ ନେଇ ବିରୋଧୀ ବିଜେପି ସରକାରକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।





