ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ଇନଚାର୍ଜ ଭିକେ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଜାରି ରହିଛି ରାଜନୀତି | ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରୁଛନ୍ତି ବିରୋଧୀ | ଏହି କ୍ରମରେ ଆଜି ପାଣ୍ଡିଆନଙ୍କ ତାଳଚେର ଗସ୍ତ ସମୟରେ ମଧ୍ୟ ବିରୋଧ ଦେଖିବାକୁ ମିଳିଛି | ବିଜେପି ପକ୍ଷରୁ କଳା ପୋଷାକ ପରିଧାନ କରି ବିରୋଧ କରାଯାଉଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ନାରାବାଜି ମଧ୍ୟ କରାଯାଇଛି |
ତେବେ ପାଣ୍ଡିଆନଙ୍କ ସହ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କୁ ମଧ୍ୟ ବିରୋଧ କରିଛି ବିଜେପି | ପାଣ୍ଡିଆନଙ୍କ ସଭା ପାଇଁ ଅଧିକ ରୁ ଅଧିକ ଲୋକ ଆଣିବାକୁ କୁହାଯାଉଥିବା ଏକ ଅଡିଓ କ୍ଲିପ ସାମ୍ନାକୁ ଆଣି ଏହା ବିଧାୟକ ବ୍ରଜ ପ୍ରଧାନଙ୍କ ଅଡିଓ ବୋଲି ଦାବି କରିଛି ବିଜେପି | ଏଥିପାଇଁ ବିଧାୟକ ବ୍ରଜ ପ୍ରଧାନ କ୍ଷମା ମାଗନ୍ତୁ ବୋଲି ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି | ତେବେ ଏନେଇ ବିଧାୟକଙ୍କ ପ୍ରତିକ୍ରୀୟା ମିଳିପାରିନାହିଁ |





