ଭୁବନେଶ୍ୱର,୦୩/୩(ସତ୍ୟପାଠ ବ୍ୟୁରୋ): ବିଜେପି ୨୦୨୪ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ବିଜେପି ତା’ର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛି। ବିଜେପି ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ।
ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ମୁଖ୍ୟାଳୟରେ ପ୍ରେସମିଟରେ ଏନେଇ ଘୋଷଣା କରାଯାଇଛି। ଦିନ ତଳେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ବିଜେପିର ନିର୍ବାଚନ କମିଟି ବୈଠକ। ଯେଉଁଥିରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହୋଇଥିବା କୁହାଯାଉଥିଲା।
ସେହିପରି ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ। ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ ଲଢ଼ିବେ।ସବୁଠୁ ବଡ଼ କଥା ହେଉଛି ଯେଉଁ ଅଞ୍ଚଳର ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି, ସେଠି ନିର୍ବାଚନୀ ବିଗୁଲ ଏକରକମ ବାଜିଛି। ତେଣୁ ସେଠାରେ ରାଜନୈତିକ ଉଷ୍ଣତା ବଢ଼ିବ। ସୂଚନା ଅନୁଯାୟୀ ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି।





