ନିର୍ବାଚନ ତାରିଖ ଘୋଷଣା ହେବା ବହୁ ପୂର୍ବରୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ପ୍ରାର୍ଥୀଙ୍କ ନାଁ ଜାରି କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ଶେଷ ଆଡକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ | ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ନିର୍ଵାଚନ ହେବାକୁ ଯାଉଛି | ତେବେ ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛି ବିଜେପି | ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ବିଜେପି ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି |

ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେହିପରି ମଧ୍ୟପ୍ରଦେଶର ୨୩୦ ଆସନ ମଧ୍ୟରୁ ୩୯ଟି ସ୍ଥାନରେ କେଉଁମାନେ ପ୍ରାର୍ଥୀ ହେବେ, ସେମାନଙ୍କ ନାଁ ସାର୍ବଜନୀନ କରାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏହି ବୈଠକରେ ଦୁଇ ରାଜ୍ୟ ପାଇଁ କିଛି ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ସେହିପରି ନିର୍ବାଚନ ପାଇଁ ଦଳ ବୈଠକରେ ରଣନୀତି ମଧ୍ୟ ପ୍ରସ୍ତୁତ କରିଥିଲା। ଏହି ବୈଠକ ପରେ ଛତିଶଗଡ଼ର ୨୧ ଓ ମଧ୍ୟପ୍ରଦେଶର ୩୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଦଳୀୟ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଜାଣିବା ଓ ନିର୍ବାଚନ ପୂର୍ବରୁ ଏହାକୁ ସମାଧାନ କରିବା ଲକ୍ଷ୍ୟରେ ବିଜେପି ନେତୃବୃନ୍ଦ ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ଜଣାପଡ଼ିଛି। କର୍ଣ୍ଣାଟକାରେ ବିଜେପି ହାରିବା ପରେ ଦଳ ସମାନ ଦଶା ଆଉ କେଉଁ ରାଜ୍ୟରେ ନ ଭୋଗିବ,ସେଥିପାଇଁ ଏବେ ନିର୍ବାଚନର ବହୁ ପୂର୍ବରୁ ରଣନୀତି ତିଆରି କରିବାରେ ଲାଗିଛି।

ତେବେ ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ତେଲେଙ୍ଗାନାରେ କେସିଆରଙ୍କ ଦଳ ବିଆରଏସ କ୍ଷମତାରେ ଥିବା ବେଳେ ବିଜେପି ମଧ୍ୟପ୍ରଦେଶ ଓ ମିଜୋରାମରେ ସରକାରରେ ରହିଛି। ଏବେ କଂଗ୍ରେସ ହାତରେ ଥିବା ଛତିଶଗଡ଼ ଓ ରାଜସ୍ଥାନକୁ ଦଖଲ କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ଯଥେଷ୍ଟ ଆଗରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।

ଛତିଶଗଡ଼ ପାଇଁ ଘୋଷଣା ହୋଇଥିବା ୨୧ ଜଣଙ୍କ ମଧ୍ୟରେ ବିଜୟ ବାଘେଲଙ୍କ ନାଁ ରହିଛି। ସେ ଦୁର୍ଗର ଲୋକସଭା ସାଂସଦ। କିନ୍ତୁ ଦଳ ତାଙ୍କୁ ପାଟଣରୁ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଛି। ତେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ବାଦ ପଡ଼ିଛି। ଦଳର ଘୋଷଣା କରିଥିବା ୨୧ ଜଣଙ୍କ ମଧ୍ୟରେ ୫ ଜଣ ମହିଳା, ଅନୁସୂଚିତ ଜନଜାତିରୁ ୧୦ ଜଣ ଓ ଅନୁସୂଚିତ ଜାତିରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ।

ମଧ୍ୟପ୍ରଦେଶର ୩୯ ଜଣିଆ ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ନାହିଁ। ଦଳ ୫ ଜଣ ମହିଳା, ୮ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତିଙ୍କୁ ଟିକେଟ ଦେଇଛି।

Related Posts