ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଆଜି ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଛନ୍ତି ବିରୋଧୀ ଇଣ୍ଡିଆ ମେଣ୍ଟର ୨୧ ଜଣିଆ ପ୍ରତିନିଧି ମଣ୍ଡଳୀ। ସେପଟେ ଗସ୍ତ କରିଥିବା ବିରୋଧୀ ମେଣ୍ଟର ସାଂସଦଙ୍କ ଉପରେ ବିଜେପି ପ୍ରଶ୍ନ ଉଠାଇଛି । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କହିଛନ୍ତି ଯେ ବିରୋଧୀ ମେଣ୍ଟର ସଦସ୍ୟଙ୍କ ଗସ୍ତ କେବଳ ଦେଖାଣିଆ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଶନିବାର ସକାଳେ କୋଲକତା ପହଞ୍ଚିବା ପରେ ଅଭିଯୋଗ ଆଣିଛନ୍ତି ଯେ ପୂର୍ବ ସରକାର ଶାସନରେ ମଣିପୁର ଜଳୁଥିଲା, ସେତେବେଳେ ଏମାନେ ସଂସଦରେ ଗୋଟିଏ ଶବ୍ଦ କହୁନଥିଲେ ।
ଠାକୁର କହିଛନ୍ତି, ‘ଯେତେବେଳେ ମଣିପୁର ମାସ ମାସ ଧରି ବନ୍ଦ ରହୁଥିଲା, ସେତେବେଳେ ଏମାନେ ଗୋଟିଏ ଶବ୍ଦ କହିନଥିଲେ’ । ସେ କହିଛନ୍ତି ଯେ ପ୍ରତିନିଧିମଣ୍ଡଳ ମଣିପୁରରୁ ଫେରିବା ପରେ ଏହାର ସଦଦ୍ୟ ସଂସଦରେ କୌଣସି କାର୍ଯ୍ୟ ହେବାକୁ ଦେବେ ନାହିଁ । ଠାକୁର କହିଛନ୍ତି, ‘ମୁଁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ଅନୁରୋଧ କରୁଛି ଯେ ସେ ଏହି ପ୍ରତିନିଧିମଣ୍ଡଳକୁ ପଶ୍ଚିମବଙ୍ଗ ନେଇ ଯାଆନ୍ତୁ, ଯେଉଁଠି ମହିଳାଙ୍କ ଉପରେ ଅତ୍ୟାଚାର କରାଯାଉଛି’। ସେ କହିଛନ୍ତି, ‘ଯେପରି ଭାବେ ମମତା ବାନାର୍ଜୀଙ୍କ ସରକାର ହତ୍ୟା କରି କ୍ଷମତାରେ ବସିଛି, କଣ କଂଗ୍ରେସ ତାର ବିରୋଧ କରୁଛି ?’ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ବିରୋଧୀ ମେଣ୍ଟ ରାଜସ୍ଥାନ ଗସ୍ତ କରିବ କି ? ଯେଉଁଠି ମହିଳାଙ୍କ ବିରୋଧରେ ଅପରାଧ ହେଉଛି । କଣ ସେମାନେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଉପରେ ରିପୋର୍ଟ ଦେବେ କି ? ବୋଲି ସେ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ବିରୋଧୀ ମେଣ୍ଟର ୨୧ ସାଂସଦଙ୍କ ଏକ ପ୍ରତିନିଧିମଣ୍ଡଳ ସ୍ଥିତିର ଯାଞ୍ଚ ପାଇଁ ହିଂସା ପ୍ରଭାବିତ ମଣିପୁର ପହଞ୍ଚିଛନ୍ତି । ଦୁଇ ଦିନିଆ ଏହି ଗସ୍ତରେ ବିରୋଧୀ ଦଳର ପ୍ରତିନିଧିମଣ୍ଡଳ ମେ ୩ରୁ ଆରମ୍ଭ ହୋଇଥିବା ହିଂସା ପୀଡିତଙ୍କୁ ଭେଟିବା ପାଇଁ ଅନେକ ଆଶ୍ରୟସ୍ଥଳୀ ଗସ୍ତ କରିବେ । ରାଜ୍ୟରେ ଜାରି ହିସାଂ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।
ମଣିପୁରରେ ଅନୁସୂଚିତ ଜନଜାତିର ମାନ୍ୟତା ନେଇ ମୈତେଇ ସମୁଦାୟର ଦାବିର ବିରୋଧରେ ରାଜ୍ୟରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା । ମଣିପୁରର ମୋଟ ଜନସଂଖ୍ୟାର ମୈତେଇ ସମୁଦାୟ ଲୋକଙ୍କ ସଂଖ୍ୟା ପ୍ରାୟ ୫୩ ପ୍ରତିଶତ ଏବଂ ସେମାନେ ମୁଖ୍ୟତଃ ଇମ୍ଫାଲ ଘାଟିରେ ବାସ କରନ୍ତି । ଅନ୍ୟପଟେ ନାଗା ଏବଂ କୁକିଙ୍କ ଜନସଂଖ୍ୟା ୪୦ ପ୍ରତିଶତ ଏବଂ ସେମାନେ ଅଧିକାଂଶ ପାହାଡିଆ ଜିଲ୍ଲାରେ ବାସ କରନ୍ତି ।





