ସରିଛି ପଞ୍ଚାୟତ ନିର୍ବାଚନ । ଏବେ ପୌର ନିର୍ବାଚନ ପାଇଁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି ବିଜେପି । ପଞ୍ଚାୟତ ନିର୍ବାଚନ ର ଭୁଲ କୁ ସୁଧାରିବା ପାଇଁ ବିଜେପି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ପୌର ନିର୍ବାଚନ ପ୍ରଚାରକୁ କେନ୍ଦ୍ର୍ରୀୟ ନେତା ଆସିବେ ବୋଲି ଜଣାପଡ଼ିଛି । ଦୁଇ ତିନି ଭିତରେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ ପାତ୍ର ଆସି ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସେପଟେ କଂଗ୍ରେସ ମଧ୍ଯ ପୌର ନିର୍ବାଚନଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଛି । ଭୁବନେଶ୍ୱର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି, ତାଙ୍କ ଦଳ କଡ଼ା ଟକ୍କର ଦେବ । ସେ ମମତା ବାନାର୍ଜୀଙ୍କ ସ୍ଲୋଗାନକୁ ଉଦ୍ଧାର କରି କହିଛନ୍ତି ଯେ, ‘ଖେଲା ହବେ’ ।
ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୌର ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ବିଜେପି । ପଞ୍ଚାୟତ ନିର୍ବାଚନ ପ୍ରଚାର ମଇଦାନକୁ କୌଣସି ବଡ ନେତା ଓହ୍ଲାଇ ନଥିବାବେଳେ ପୌର ପାଇଁ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ ପାତ୍ରଙ୍କ ଭଳି ଶୀର୍ଷ ନେତୃତ୍ୱ ପ୍ରଚାର କରିବେ । ଏନେଇ ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ । କହିଛନ୍ତି ୟୁପି ନିର୍ବାଚନ ପାଇଁ ଧର୍ମେନ୍ଦ୍ରଙ୍କ ଉପରେ ଗୁରୁ ଦାୟିତ୍ୱ ଥିଲା । ଏବେ ୟୁପି ନିର୍ବାଚନ ସରିଥିବାରୁ ସେ ରାଜ୍ୟକୁ ଆସିବେ ।
3 ଦଳ ନିଜ ନିଜ ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି। ବିଜେପି ଘରକୁ ଘର ବୁଲି ଭୋଟ ମାଗିବା ସହ ମୋଦିଙ୍କ କାମକୁ ନେଇ ଲୋକଙ୍କ ପାଖକୁ ଯିବ । ଅନ୍ୟପଟେ ବିଜେଡି ସରକାରରେ ବିକାଶମୂଳକ କାର୍ଯ୍ୟକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଏସବୁ ଭିତରେ ପୌର ନିର୍ବାଚନ ପାଇଁ ଉଠୁଛି ପଡ଼ୁଛି ରାଜ୍ୟର ସମସ୍ତ ସହରାଞ୍ଚଳ ।





