ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦେବ ବିଜେପି । ୧୦୮ଟି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ସରକାରଙ୍କ ବିଫଳତା ଓ ସଚିବଙ୍କ ସଭା ଭଳି ପ୍ରସଙ୍ଗକୁ ଚାର୍ଜସିଟ୍ ସ୍ଥାନ ଦିଆଯାଇଛି । ଆଉ ଏହି ସବୁ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ବିଜେପି ପହଁଚିବ ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ।ସେପଟେ ବିଜେପି ଚାର୍ଜସିଟ୍ କୁ ନେଇ ବିଜେଡି କହିଛି ନିର୍ବାଚନ ସମୟରେ ଏଭଳି ସବୁ ଅଭିଯୋଗ କରନ୍ତି ବିରୋଧୀ, ହେଲେ ବିଜେଡି ସହ ଅଛନ୍ତି ଓଡିଶାବାସୀ ।
ରାଜ୍ୟ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି । ଏଥିପାଇଁ ରାଜ୍ୟର ବିଭିନ୍ନ ସମସ୍ୟା ସଂପର୍କିତ ୧୦୮ଟି ପ୍ରସଙ୍ଗକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ । ଏଥିରେ ୫ଟି ଙ୍କ ଜିଲ୍ଲା ଗସ୍ତ ପ୍ରସଙ୍ଗ ମଧ୍ୟ ରହିଛି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି, କେଉଁ କ୍ଷମତା ବଳରେ ସଚିବ ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି?କାହିଁକି ଓଡଶାର ସବୁ କାମ ତାମିଲନାଡୁ ଲୋକଙ୍କୁ ଦିଆଯାଉଛି? ଏହାକୁ ପ୍ରସଙ୍ଗ କରିବ ବିଜେପି । ଏହାଛଡା କୋଇଲା ଦୁର୍ନୀତି, ଲୁହାପଥର ଦୁର୍ନୀତି ଆଦି ଚାର୍ଜସିଟ୍ରେ ସ୍ଥାନ ପାଇଛି। ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଚାର୍ଜସିଟରେ ରହିଛି । ପଂଚାୟତଠାରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ବୋଲି କହିଛନ୍ତି ଜୟନାରାୟଣ ।
ବିଜେପିର ଚାର୍ଜସିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ସେ କହିଛନ୍ତି, ଆଗକୁ ନିର୍ବାଚନ ଥିବାରୁ ଏଭଳି ଅଭିଯୋଗ କରୁଛନ୍ତି ବିରୋଧୀ । ବିଜେଡି ଲୋକଙ୍କ ସହ ରହିଛି । ପୂର୍ବରୁ ଯେଉଁମାନେ ଲୋକଙ୍କ ପାଖକୁ ଯାଉନଥିଲେ, ଚାର୍ଜସିଟ୍ କୁ ଆଳ କରି ଲୋକଙ୍କ ପାଖକୁ ଯିବାକୁ ଯୋଜନା କରିଥିବା ବିଜେଡି ବିଧାୟକ କହିଛନ୍ତି ।





