ରାଜ୍ୟସଭା ନିର୍ବାଚନରେ ବାଜି ମାରିଲା ବିଜେପି; ମହାରାଷ୍ଟ୍ରରେ ୩ଟି ଆସନରେ ଓ ହରିୟାଣାରେ ୨ଟି ଆସନରେ ବିଜେପି ବିଜୟୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ବାଜି ମାରିଲା ବିଜେପି । ସେପଟେ ଶିବସେନା, ଏନ୍ସିପି ଏବଂ କଂଗ୍ରେସ ମେଣ୍ଟକୁ ଶକ୍ତ ଧକ୍କା ଦେଇ ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଟି ଆସନରୁ ବିଜେପି ୩ଟିରେ ବିଜୟ ହାସଲ କରିଛି। ତେବେ ବିଜେପିର ବିଜୟୀ ପ୍ରାର୍ଥୀମାନେ ହେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟାଲ୍, ପୂର୍ବତନ ରାଜ୍ୟମନ୍ତ୍ରୀ ଅନୀଲ ବଣ୍ଡେ ଏବଂ ଧନଞ୍ଜୟ ମହାଦିକ। ସେହିପରି, ଶିବସେନାର ସଞ୍ଜୟ ରାଉତ, ଏନ୍ସିପିର ପ୍ରଫୁଲ ପଟେଲ୍ ଏବଂ କଂଗ୍ରେସର ଇମ୍ରାନ୍ ପ୍ରତାପଗଡ଼ି ବାକି ୩ଟି ଆସନରେ ବିଜୟୀ ହୋଇଛନ୍ତି। ୨୮୪ଟି ବୈଧ୍ୟ ଭୋଟ୍ରୁ ଗୋୟାଲ୍ ୪୮, ବଣ୍ଡେ ୪୮, ମହାଦିକ ୪୧.୫୬, ରାଉତ ୪୧, ପ୍ରତାପଗଡ଼ି ୪୪ ଏବଂ ପଟେଲ୍ ୪୩ ଭୋଟ୍ ପାଇଛନ୍ତି।

ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନରେ ୬ଷ୍ଠ ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା ଚାଲିଥିଲା। ବିଜେପି ଧନଞ୍ଜୟ ମହାଦିକଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ଶିବସେନାର ପ୍ରାର୍ଥୀ ଥିଲେ ସଞ୍ଜୟ ପାୱାର୍। କିନ୍ତୁ, ପାୱାର ପରାସ୍ତ ହୋଇଛନ୍ତି। ୬ଷ୍ଠ ଆସନ ପାଇଁ ହୋଇଥିବା ପ୍ରତିଦ୍ବନ୍ଦ୍ବିତା ନେଇ କଂଗ୍ରେସ ଓ ବିଜେପି ନିର୍ବାଚନ କମିସନ୍ଙ୍କଠାରେ ଆପତ୍ତି କରିଥିଲେ। ବିଜେପିର ଦେବେନ୍ଦ୍ର ଫଡ଼ନବିସ କହିଛନ୍ତି, ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କେବଳ ଲଢ଼େଇ ନୁହେଁ, ବିଜୟ ମଧ୍ୟ। ଜୟ ମହାରାଷ୍ଟ୍ର। ସେହିପରି, ହରିୟାଣାରେ ବିଜେପିର କୃଷ୍ଣଲାଲ୍ ପନ୍ୱାର୍ ଏବଂ ବିଜେପି ସମର୍ଥୀତ ସ୍ବାଧୀନ ପ୍ରାର୍ଥୀ କାର୍ତ୍ତିକେୟ ଶର୍ମା ୨ଟି ଆସନରେ ବିଜୟୀ ହୋଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts