ମାତାଙ୍କ ଇସ୍ତଫା ଦାବିରେ ବିଜେପିର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ

ଭୁବନେଶ୍ୱର,୨୮/୮(ସତ୍ୟପାଠ ବ୍ୟୁରୋ): ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ବନ୍ଦ ପାଳନ କରୁଛି ବିଜେପି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୋଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି ।

ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ଛାତ୍ରଛାତ୍ରୀମାନେ ନବାନ୍ନ ବା ପଶ୍ଚିମବଙ୍ଗ ସରକାରଙ୍କ ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରାରେ ଯିବା ବେଳେ, ହାୱଡ଼ା ସାନ୍ତରାଗାଛିରେ ପୋଲିସ ସେମାନଙ୍କୁ ରୋକିବା ପାଇଁ ବ୍ୟାରିକେଡ୍ ଲଗାଇବା ସହ ପାଣିମାଡ଼, ଲୁହବୁହା ଗ୍ୟାସ୍ ଓ ଲାଠି ଚାର୍ଜ କରିଥିଲା ।

ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ରଖିବାକୁ ଡାକରା ଦେଇଛି ବିଜେପି । କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, କାଲି ଜୀବନଯାତ୍ରା ସ୍ବାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର। ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ। ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ ।

Related Posts