‘ବେଟି ଜଲାଓ’ରେ ପରିଣତ ହୋଇଛି ବିଜେପିର ‘ବେଟି ବଚାଓ’ ସ୍ଲୋଗାନ: ମଣିପୁର ଘଟଣାକୁ ନେଇ ବର୍ଷିଲେ ମମତା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁରରେ ୨ ଯୁବତୀଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ସାରା ଦେଶରେ ନିନ୍ଦା କରାଯାଉଥିବା ବେଳେ ଏହାକୁ ନେଇ ଆଜି ବିଜେପି ଉପରେ ବର୍ଷିଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ବିଜେପିର ବେଟି ବଚାଓ କ୍ୟାମ୍ପେନ ଏବେ ବେଟି ଜଲାଓରେ ପରିଣତ ହୋଇଛି ବୋଲି କହିଛନ୍ତି ଦିଦି । ଏହାସହିତ ଆଗାମୀ ଦିନରେ ବିଜେପିକୁ ଦେଶର ଶାସନ ଗାଦିରୁ ମହିଳା ହଟାଇବେ ବୋଲି ଦିଦି କହିଛନ୍ତି । ଶୁକ୍ରବାର କୋଲକାତାରେ ଆୟୋଜିତ ଟିଏମସି ଶହୀଦ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମମତା ଏପରି କହିଛନ୍ତି ।

ମମତା କହିଛନ୍ତି ଯେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ‘ବେଟି ବଚାଓ’କୁ ନେଇ ସ୍ଲୋଗାନ ଦେଇଥିଲେ । ହେଲେ ସେହି ସ୍ଲୋଗାନକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ମମତା । ଦୀର୍ଘ ଦିନ ଧରି ହିଂସାକାଣ୍ଡରେ ଜଳୁଥିବା ମଣିୁପରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମମତା । ସେପଟେ ଗତ ବୁଧବାର ଆଦିବାସୀ ଯୁବତୀଙ୍କ ଉଲଗ୍ନ ଭିଡିଓ ଭାଇରାଲ ହେବା ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ସେଥିମଧ୍ୟରୁ କିଛି ଅଭିଯୁକ୍ତ ଜାମିନରେ ଆସିଥିବାକୁ ନେଇ ମମତା କ୍ଷୋଭ ପ୍ରକାଶ କରିଛନ୍ତି । ବହୁଚର୍ଚ୍ଚିତ ବିଲକିସ ବାନୋ ଓ କୁସ୍ତିଯୋଦ୍ଧା ଆନ୍ଦୋଳନ ପ୍ରସଙ୍ଗରେ ଏଯାବତ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିନି କହି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି ।

ପୀଡ଼ିତାଙ୍କୁ ନ୍ୟାୟ ମିଳୁନଥିବାରୁ ଏହା ବିରୋଧରେ ଦେଶରେ ସମସ୍ତ ମହିଳା ଏକତ୍ରିତ ହୋଇ ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି । ଏହାସହିତ ଆଗାମୀ ନିର୍ବାଚନରେ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ଲାଗି ସେ ଶପଥ ନେଉଥିବା ମଧ୍ୟ କହିଛନ୍ତି ।

ସୂଚନା ଥାଉ କି ଗତ ବୁଧବାର ମଣିପୁରରୁ ଏକ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ କିଛି ଯୁବକ ୨ ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଉଛନ୍ତି । ଏହାସହିତ ସେମାନଙ୍କୁ କ୍ଷେତକୁ ନେଇ ଗଣଦୁଷ୍କର୍ମ କରିଥିବା ମଧ୍ୟ ସୂଚନା ମିଳିଥିଲା । ଯାହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି ।

ଗତ ମେ ୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏହା ଏବେ ଲୋକଲୋଚନକୁ ଆସିଛି । ଏହାପରେ ବିଜେପି ଶାସିତ ମଣିପୁରରେ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା ପତ୍ର ମଧ୍ୟ ଦାବି କରିଛନ୍ତି । ମଣିପୁର ହିଂସାକାଣ୍ଡ ପ୍ରସଙ୍ଗକୁ ନେଇ ବିରୋଧୀ ମହାମେଣ୍ଟ ‘INDIA’ର ସମସ୍ତ ମୁଖ୍ୟମନ୍ତ୍ରୀ ଏକାଠି ମଣିପୁର ଗସ୍ତ କରିବେ । ମଣିପୁରର ମାଆ ଭଉଣୀ ଦେବଳ ଉତ୍ତର-ପୂର୍ବାଞ୍ଚଳର ନୁହେଁ, ବରଂ ସାରା ଦେଶର ବୋଲି କହିଛନ୍ତି ମମତା । ସେପଟେ ୨ ଆଦିବାସୀ ଯୁବତୀଙ୍କ ଉଲଗ୍ନ କରିବା ଘଟଣା ସାମ୍ନାକୁ ଆସିବା ପରେ ଦୋଷୀଙ୍କୁ ଛଡ଼ାଯିବନି ବୋଲି ଦେଶବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Related Posts