ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଗକୁ ରହିଛି ୪ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ | ଆସନ୍ତା 2024 ଲୋକସଭା ନିର୍ବାଚନ ପୂର୍ବରୁ ଏହି ନିର୍ବାଚନକୁ ସେମିଫାଇନାଲ କୁହାଯାଉଥିବା ବେଳେ ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛି ଭାରତୀୟ ଜନତା ପାର୍ଟି | ଏହି କ୍ରମରେ ୪ ରାଜ୍ୟ ପାଇଁ ୪ ଜଣ ନିର୍ବାଚନ ପ୍ରଭାରୀ ଓ ୫ ଜଣ ସହ ପ୍ରଭାରୀ ନିଯୁକ୍ତ କରିଛି ବିଜେପି |
ଦଳ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ରାଜସ୍ଥାନ ପାଇଁ ନିର୍ବାଚନ ପ୍ରଭାରୀ ଭାବରେ ପ୍ରହ୍ଲାଦ ଯୋଶୀ, ପ୍ରକାଶ ଜାଭଡ଼େକରଙ୍କୁ ତେଲେଙ୍ଗାନା, ଓମ୍ ପ୍ରକାଶ ମାଥୁରଙ୍କୁ ଛତିଶଗଡ଼ ଓ ମଧ୍ୟପ୍ରଦେଶ ପାଇଁ ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ | ସେହିପରି ନୀତିନ ପଟେଲ ଓ କୁଲଦୀପ ବିଷ୍ଣୋଇଙ୍କୁ ରାଜସ୍ଥାନ, ସୁନୀଲ ବଂଶଲଙ୍କୁ ତେଲେଙ୍ଗାନା, ମନସୁଖ ମାଣ୍ଡଭୀୟଙ୍କୁ ଛତିଶଗଡ଼, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟପ୍ରଦେଶର ସହପ୍ରଭାରୀ ଭାବେ ଦାୟିତ୍ୱ ମିଳିଛି |
ତେବେ ଏହି 4 ରାଜ୍ୟ ମଧ୍ୟରୁ ମଧ୍ୟପ୍ରଦେଶକୁ ଛାଡିଦେଲେ ଆଉ କେଉଁଠି ବି ବିଜେପିର ସରକାର ନାହିଁ | ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସର ସରକାର ଥିବାବେଳେ ତେଲେଙ୍ଗାନାରେ ବିଆରଏସ ସରକାରରେ ରହିଛି | ତେଣୁ ଦଳକୁ ଏହି ରାଜ୍ୟ ଗୁଡିକରେ କ୍ଷମତାକୁ ଆଣିବାପାଇଁ ଏହି ପ୍ରଭାରୀମାନଙ୍କ ଉପରେ ଗୁରୁଦାୟିତ୍ୱ ରହିବ |





