ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରର ବିରାଟ ରାଜନୈତିକ ହଲ୍ ଚଲ୍ ମଧ୍ୟରେ ଏବେ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଛନ୍ତି । ଏହା ପରେ ବିଜେପି ପକ୍ଷରୁ ନିତୀଶଙ୍କୁ ଟାର୍ଗେଟ କରାଯାଇଛି । ବିଜେପି ପକ୍ଷରୁ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ବିଶ୍ୱାସଘାତକତା ବୋଲି କୁହାଯାଇଛି । ଏନେଇ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି ।ଏଥିରେ କୁହାଯାଇଛି କି ବିଧାନସଭା ନିର୍ବାଚନରେ ବିହାରର ଜନତା ଏନଡିଏକୁ ଜନାଦେଶ ଦେଇଥିଲେ । ତେଣୁ ମେଣ୍ଟ ଭାଙ୍ଗି ନୀତିଶ କୁମାର ଉଭୟ ବିହାରର ଜନତା ଓ ବିଜେପି ସହ ବିଶ୍ୱାସଘାତକତା କରିଛନ୍ତି ଓ ଜନମତ ସହ ନୀତିଶ କୁମାର ଖେଳିଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।
ସେପଟେ ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୀତିଶ କୁମାର । ସେ କହିଛନ୍ତି କି ବିଜେପି ସହ ମେଣ୍ଟ ଭାଙ୍ଗିବା ତାଙ୍କର ନିଷ୍ପତ୍ତି ନୁହେଁ ବରଂ ଏହା ଦଳର ନିଷ୍ପତ୍ତି । ଦଳର ବିଧାୟକ ଓ ସାଂସଦମାନେ ଏନଡିଏରୁ ବାହାରି ଯିବାକୁ ଚାହୁଁଥିଲେ । ତେଣୁ ସେମାନଙ୍କ ପ୍ରସ୍ତାବକୁ ସମ୍ମାନ ଦେଇ ବିଜେପି ସହ ଥିବା ମେଣ୍ଟ ଭାଙ୍ଗି ଦିଆଯାଇଥିବା କଥା ନୀତିଶ କୁମାର କହିଛନ୍ତି ।
ସୂଚନା ଥାଉକି ୨୦୨୦ ବିଧାନସଭା ନିର୍ବାଚନରେ ବିଜେପିକୁ ୭୭ ଓ ଜେଡିୟୁଙ୍କୁ ୪୫ ଟି ଆସନ ମିଳିଥିଲା । ହେଲେ ବିଜେପି ପକ୍ଷରୁ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଥିଲା । ହେଲେ ୨୦୨୦ ସରକାର ଗଠନର କିଛିଦିନ ପରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ଜେଡିୟୁ ମଧ୍ୟରେ ମତଭେଦ ଦେଖିବାକୁ ମିଳିଥିଲା । ପ୍ରଥମେ ଜାତିଭିତ୍ତିକ ଜନଗଣନାକୁ ନେଇ ମତଭେଦ ଜାରି ରହିଥିବା ବେଳେ କିଛିଦିନ ତଳେ ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଏକ ବୟାନ ସେହି ମତଭେଦକୁ ଆଗକୁ ନେଇଥିଲା । ଜେପି ନଡ୍ଡା ଏକ ସଭାରେ କହିଥିଲେ କି ଖୁବଶୀଘ୍ର ଦେଶରେ ଆଞ୍ଚଳିକ ଦଳମାନେ ସମାପ୍ତ ହୋଇଯିବେ ।





