ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ଆରମ୍ଭ ହେବ କଳାବାଘ ସଫାରୀ ।ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ମିଳିବ ନିଆର ସୁଯୋଗ । ଏଥିପାଇଁ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ମୟୂରଭଂଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ କଳାବାଘ ସଫାରୀ କରାଯିବ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ପର୍ଯ୍ୟଟକ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ।
ଗତ ନଭେମ୍ବର ମାସରେ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ଜଙ୍ଗଲରେ କଳାବାଘ ଅଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପ୍ରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି। କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ ପିସିସିଏଫ୍ କୌଣସି ସ୍ପଷ୍ଟ କରି ନଥିଲେ।
ମାତ୍ର ଡିସେମ୍ବର ୨୨ ତାରିଖ ଦିନ ‘ଇଣ୍ଡିଆ ଫରେଷ୍ଟ୍ ସର୍ଭିସ୍ ଅଫିସର୍’ ପ୍ରବୀଣ କସ୍ବାଂ ‘ଏକ୍ସ୍’ରେ ସେୟାର୍ କରିଥିବା ଓଡ଼ିଶାର ଶିମିଳିପାଳରେ ଉଠାଯାଇଥିବା କେତେକ ଦୁର୍ଲଭ କଳାରଙ୍ଗର ମହାବଳ ବାଘ ଫଟୋ ସମ୍ପ୍ରତି ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କୁ ଚମତ୍କୃତ କରିଥିଲା ବୋଲି କହିଥିଲେ। ଶିମିଳିପାଳର ଏହି କଳାବାଘ ଦେଖାଦେବା ଘଟଣା ପ୍ରଥମେ ୧୯୯୩ରେ ରେକର୍ଡ କରାଯାଇଥିଲା। ୧୯୯୩ ଜୁଲାଇ ୨୧ ତାରିଖ ଦିନ ପୋଡ଼ାଗଡ଼ ଗାଁର ସାଲ୍କୁ ନାଁରେ ଜଣେ ବାଳକ ନିଜ ଜୀବନ ରକ୍ଷା କରିବାକୁ ଧନୁଶରଦ୍ବାରା ଗୋଟାଏ କଳାବାଘୁଣୀକୁ ମାରିଥିଲା।
ଏହି ଦୁର୍ଲଭ କଳା ବାଘମାନଙ୍କୁ ପ୍ରଥମେ ୨୦୦୭ରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଔପଚାରିକ ଭାବେ ଆବିଷ୍କାର କରାଯାଇଥିଲା। ସମୟକ୍ରମେ କାଳ ବାଘ ସଂଖ୍ୟା ଅଧିକ ଥିବା କଥା ରେକର୍ଡ କରାଗଲା। ବିରଳ ଗଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦେହର ରଙ୍ଗ କଳା ହେଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ସ୍ବଳ୍ପ ରହିଛି।





