ଭୁବନେଶ୍ବରର ଘର ମାଲିକଙ୍କୁ ବିଏମସିର ତାଗିଦ୍: ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ଘର ମାଲିକ ଏଣିକି ହୋଇଯାଆନ୍ତୁ ସାବଧାନ । ଟିକସ ଫାଙ୍କିଲେ ବିଏମସି ନେବ କଡା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱରରେ ଘର ନିର୍ମାଣ କରି ତାକୁ ବ୍ୟବସାୟ ଭିତ୍ତିରେ ବ୍ୟବହାର କରୁଥିଲେ ଘର ମାଲିକଙ୍କୁ ଗଣିବାକୁ ପଡିବ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସି ଅଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି ।ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ ସ୍ମାର୍ଟସିଟି ବାସିନ୍ଦାଙ୍କୁ ଭୁବନେଶ୍ବର କମିଶନର ବିଜୟ ଅମୃତ କୁଲାଙ୍ଗେ ଅନୁରୋଧ କରିଛନ୍ତି ।

ରାଜଧାନୀରେ ଅନେକ ବାସିନ୍ଦା ଡୋମେଷ୍ଟିକ ପ୍ରପୋଜ ପାଇଁ ଘର କରିଥିବା ବେଳେ ସେହି ଘରକୁ କମର୍ସିଆଲ ପ୍ରପୋଜରେ ବ୍ୟବହାର କରୁଛନ୍ତି । ଯାହାକି ଅନୁଚିତ ବୋଲି ବିଏମସି କମିଶନର କହିଛନ୍ତି । ଘର ମାଲିକମାନେ ଭୁବନେଶ୍ୱର ଡଟ୍ ମି ଆପ୍ ମାଧ୍ୟମରେ ତାହାକୁ ପୁନଃ ପରିବର୍ତ୍ତନ କରି ସଠିକ୍ ଟ୍ୟାକ୍ସ ପୈଠ କରନ୍ତୁ । ନଚେତ୍ ଆଗକୁ ବିଏମସି ଏନେଇ କଡା କାର୍ଯ୍ୟାନୁଷ୍ଠାନ ନେବ ।

ଏହାସହ ଏଣିକି ପ୍ରତି ଶନିବାର ୱାର୍ଡମାନଙ୍କରେ ହେବ ରାଜସ୍ୱ ଦିନ । ପ୍ରତି ଶନିବାରକୁ ରାଜସ୍ୱ ଦିବସ ଭାବରେ ପାଳନ କରିବ ବିଏମସି । କର୍ପୋରେଟରଙ୍କ ସହଯୋଗରେ ପ୍ରତି ୱାର୍ଡରେ ଏହି ଦିବସ କ୍ୟାମ୍ପେନ ଭଳି ପାଳନ କରାଯିବ । ବର୍ତ୍ତମାନ ସମୟରେ କିଭଳି ଟ୍ୟାକ୍ସ ପୈଠ କରିବେ ଅନେକ ଲୋକଙ୍କର ସମସ୍ୟା ରହୁଛି । ଅନଲାଇନ୍‌ରେ ଘରେ ବସି କିଭଳି ଟ୍ୟାକ୍ସ ଦେଇପାରିବେ ସେନେଇ ଲୋକମାନଙ୍କୁ ବିଏମସି ଅଧିକ ସଚେତନ କରିବ ।

Related Posts