ଚିଲିକାରେ ବୁଡିଲା ଡଙ୍ଗା: 11 ଜଣ ଉଦ୍ଧାର, ଜଣେ ନିଖୋଜ

ବାଲୁଗାଁ: ଚିଲିକାରେ ଅଘଟଣ ।କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୁଡିଗଲା ଡଙ୍ଗା । ଫଳରେ ଏହି ଅଘଟଣରେ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି।

ଡଙ୍ଗାରେ ମୋଟ ୧୨ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ହେଉଛନ୍ତି ପର୍ଯ୍ୟଟକ। ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନେ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର। ଅନ୍ୟ ୪ ଜଣଙ୍କ ମଧ୍ୟରୁ ୨ ଜଣ ନାବିକ ଓ ଅନ୍ୟ ଦୁଇ ଜଣ ବାଲୁଗାଁ ଅଞ୍ଚଳର ଲୋକ। ବାଲୁଗାଁ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ କାଳିଜାଈରେ ଏକ ଦୋକାନରେ କାମ କରନ୍ତି। ସେ ନିଖୋଜ ଅଛନ୍ତି। ତାଙ୍କ ନାଁ ରାଜେନ୍ଦ୍ର ଖୁଣ୍ଟିଆ ବୋଲି ଜଣାପଡ଼ିଛି। ତାଙ୍କ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଏହି ଟୁରିଷ୍ଟ ଡଙ୍ଗାଟି କାଳିଜାଈରୁ ବାଲୁଗାଁ ଅଭିମୁଖେ ଫେରୁଥିଲା। ପର୍ଯ୍ୟଟକମାନେ କାଲିଜାଈଙ୍କ ଦର୍ଶନ କରି ଫେରୁଥିବା ବେଳେ ଅପରାହ୍ଣ ପ୍ରାୟ ୫ଟା ବେଳେ କାଳବୈଶାଖୀ ପବନ ଓ ବର୍ଷା ହୋଇଥିଲା। ଫଳରେ ଡଙ୍ଗାଟି ବାଲୁଗାଁ ଠାରୁ ପ୍ରାୟ ୪ କିଲୋମିଟର ଦୂର ଚଢ଼େଇଗୁହା ପାହାଡ଼ ନିକଟରେ ବୁଡ଼ି ଯାଇଥିଲା। ତେବେ ସମସ୍ତ ୮ ପର୍ଯ୍ୟଟକ ଲାଇଫ ଜ୍ୟାକେଟ୍ ପିନ୍ଧିଥିବା ଯୋଗୁ ପାଣିରେ ଭାସୁଥିଲେ। ସେହିପରି ସେମାନଙ୍କ ସହ ଡଙ୍ଗାର ଦୁଇ ନାବିକ ଓ ଅନ୍ୟ ଜଣେ ସ୍ଥାନୀୟ ଲୋକ ରହିଥିଲେ। ସେମାନେ ପାଣିରେ ଭାସୁଥିବା ବେଳେ ବାଲୁଗାଁ ପୁଲିସ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବାଲୁଗାଁ ଡାକ୍ତରଖାନାରେ ସମସ୍ତ ପର୍ଯ୍ୟଟକଙ୍କୁ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ ସୁସ୍ଥ ଅଛନ୍ତି।

ବାଲୁଗାଁ ଏସ୍‌ଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି, ଆମେ କାମରେ ବରକୁଳ ପାନ୍ଥ ନିବାସକୁ ଯାଇଥିଲୁ। ସେଠାରେ ଥିବା ବେଳେ ହଠାତ୍ ଖବର ଆସିଲେ ଯେ ପର୍ଯ୍ୟଟକଙ୍କୁ ନେଇ କାଳିଜାଈରୁ ଫେରୁଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଆମେ ଓଟିଡିସିର କିଛି କର୍ମଚାରୀଙ୍କୁ ନେଇ ସେଠାରେ ପହଞ୍ଚିଥିଲୁ। ୧୧ ଜଣ ସେଠାରେ ଭାସୁଥିଲେ। ଆମେ ସେମାନଙ୍କୁ ଉଦ୍ଧାର କରିଥିଲୁ

Related Posts