ଓସିଏ ସଭାପତି ଚଉକିରେ ବସିଲେ ବବି, ବିନା ପ୍ରତିଦ୍ବନ୍ଦିତାରେ ଶେଷ ହେଲା ନିର୍ବାଚନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):ଓଡ଼ିଶା କ୍ରିକେଟ ଆସୋସିଏସ୍‌ (ଓସିଏ) ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ ପ୍ରକ୍ରିୟା। ଏହି ନିର୍ବାଚନରେ ବିରୋଧୀଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି। ସଞ୍ଜୟ ବେହେରାଙ୍କ ପ୍ୟାନେଲ ସମସ୍ତ ୬ଟି ପଦବି ପାଇଁ ନାମାଙ୍କନ ଭରିଛନ୍ତି। ବିରୋଧରେ କେହି ନାମାଙ୍କନ ଦାଖଲ କରିନଥିବାରୁ ନିର୍ବାଚନ ଏକପ୍ରକାର ବିନା ପ୍ରତିଦ୍ବନ୍ଦିତାରେ ଶେଷ ହୋଇଛି। ଏହି ନିର୍ବାଚନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ସଭାପତି ପାର୍ଥି ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ହିସାବରେ ତାଙ୍କ ଭାଇ ଆସି ନାମାଙ୍କନ ଦାଖଲ କରିଛନ୍ତି।

ଅନ୍ୟପଟେ ଏହି ନିର୍ବାଚନ ନିର୍ଦ୍ୱନ୍ଦରେ ଶେଷ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ୬ଟି ପଦବି ପାଇଁ ନାମାଙ୍କନ ଭରିଛନ୍ତି ସଞ୍ଜୟ ବେହରା ପ୍ୟାନେଲ। ଏହି ପ୍ୟାନେଲର ପୂର୍ବ ଘୋଷିତ ସମସ୍ତ ବ୍ୟକ୍ତିଙ୍କ ସମେତ ବରିଷ୍ଠ ସଦସ୍ୟ ଆଶୀର୍ବାଦ ବେହେରା ମନୋନୀତ କରିଥିବା ୩ ସଦସ୍ୟ ସେମାନଙ୍କ ନାମାଙ୍କନ ଭରିଛନ୍ତି। ସମ୍ପାଦକ ସଞ୍ଜୟ ବେହେରା ଓ ପୂର୍ବରୁ କୋଷାଧକ୍ଷ ଥିବା ବିକାଶ ପ୍ରଧାନ ତାଙ୍କ ପଦବି ଅବ୍ୟାହାତ ରଖିଥିବା ବେଳେ ସଭାପତି ଭାବରେ ସାମ୍ନାକୁ ଆସିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ସେହିପରି ଉପସଭାପତି ପଦରେ ଏବେର ସଭାପତି ପଙ୍କଜ ଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଭାତ ଭୋଳ, ଆପେକ୍ସ କାଉନ୍ସିଲ ସଦସ୍ୟ ପ୍ରତାପ ପ୍ରଧାନ ନାମାଙ୍କନ ଭରିଛନ୍ତି। ସମସ୍ତେ ଆଜି ମା କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଭରିବା ସହିତ ଓଡିଶା କ୍ରିକେଟର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପ ବଦ୍ଧ ବୋଲି ଦୋହରାଇଛନ୍ତି।

ଅନ୍ୟପଟେ ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଥିବା ବିଭିନ୍ନ କ୍ରୀଡା ସଂଘର ସଦସ୍ୟଙ୍କୁ ବରିଷ୍ଠ ସଦସ୍ୟ ଆଶୀର୍ବାଦ ବେହେରା ଧନ୍ୟବାଦ ଜଣାଇଛନ୍ତି। କ୍ରିକେଟରେ ସମସ୍ତେ ମିଳିମିଶି ଆଗକୁ ଆସିବା ଦରକାର ବୋଲି କହିଛନ୍ତି ଆଶୀର୍ବାଦ ବେହେରା। ଅନ୍ୟପଟେ ସିଧାସଳଖ ଓସିଏ ନିର୍ବାଚନରୁ ଓହରି ଯାଇଥିବା ଓସିଏର ନବ ପଟ୍ଟନାୟକଙ୍କ ବିରୋଧୀ ପ୍ୟାନେଲ ଆଜି ସଭାପତି ପାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ସମେତ ପୁରା ପ୍ୟାନେଲକୁ ଅଭିନନ୍ଦନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କ୍ରୀଡା ବିକାଶ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ। ଏହିକ୍ରମରେ କ୍ରିକେଟର ବିକାଶ ପାଇଁ ତାଙ୍କ ପ୍ରତିନିଧି ପ୍ରଣବଙ୍କୁ ଓସିଏକୁ ପଠାଇଛନ୍ତି। ତେଣୁ ଆରମ୍ଭରୁ ଆମେ ସିଧାସଳଖ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ପ୍ରଣବଙ୍କ ନାଁ ସାମ୍ନାକୁ ଆସିବାରୁ ତାଙ୍କୁ ନିସର୍ତ୍ତ ସମର୍ଥନ ଜଣାଇ ନିର୍ବାଚନ ପ୍ରକ୍ରିୟାରୁ ଓହରି ଯାଇଛୁ। ପ୍ରଣବ ଜଣେ ଦକ୍ଷ ସଙ୍ଗଠକ ତେଣୁ ଆମର ସମ୍ପୂର୍ଣ୍ଣ ସମର୍ଥନ ତାଙ୍କୁ ଓ ଓଡ଼ିଶା କ୍ରିକେଟ ପ୍ରତି ରହିବ ବୋଲି କହିଛନ୍ତି ବିରୋଧୀ ପ୍ୟାନେଲ ମୁଖ୍ୟ ନବ ପଟ୍ଟନାୟକ। ଏହି ବହୁ ଚର୍ଚ୍ଚିତ ନିର୍ବାଚନ ଏକପ୍ରକାର ଶେଷ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ଆନୁଷ୍ଠାନିକ ଭାବରେ ଏହାର ଫଳାଫଳ ଘୋଷଣା ହେବ। ଏହି ପ୍ୟାନେଲ ଆସନ୍ତା ୩ ବର୍ଷ ପ୍ରାର୍ଥୀ ଦାୟିତ୍ୱ ନିର୍ବାହ କରିବେ।

*ଦାୟିତ୍ବ ଗ୍ରହଣ ପୂର୍ବରୁ ସଭାପତି ଚଉକିରେ ବବି

ଓଡ଼ିଶା କ୍ରିକେଟ୍‌ରେ ରାଜନୀତି ବ୍ୟକ୍ତିବିଶେଷଙ୍କ ପ୍ରଭାବ ଏକପ୍ରକାର ଆରମ୍ଭ ହୋଇଯାଇଛି। ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ହେବା ନିଶ୍ଚିତ ହେବା ପରଠୁ ଓସିଏରେ ରାଜନୈତିକ ବ୍ୟକ୍ତିମାନଙ୍କର ଦବ୍‌ଦବା ଆରମ୍ଭ ହେବା ଆଶଙ୍କା କରାଯାଉଛି। ଏହାର ସଦ୍ୟତମ ଉଦାହରଣ ସ୍ବରୂପ ଶୁକ୍ରବାର ଓସିଏ କାର୍ଯ୍ୟାଳୟ ପରିବେଶ ଉପରେ ନଜର ପକାଇଲେ ଜାଣିହେବ। ପ୍ରଣବ ସଭାପତି ଦାୟିତ୍ବ ଗ୍ରହଣ କରିନାହାନ୍ତି। କିନ୍ତୁ ଶୁକ୍ରବାର ନାମାଙ୍କନ ଦାଖଲ ଅବସରରେ ସେ ସମର୍ଥକଙ୍କ ଗହଣରେ ଆସି ଓସିଏ ସଭାପତିଙ୍କ ଚୌକିରେ ବସିଥିବା ଦେଖାଯାଇଥିଲା। ଅନ୍ୟ ସଦସ୍ୟମାନେ ସେଠାରେ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

ଯଦିଓ ଉପସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ନାମାଙ୍କନ ଭରିଛନ୍ତି, କିନ୍ତୁ ଏବେ ବି ‌ସେ ଓସିଏର ସଭାପତି ଅଛନ୍ତି। ଏହାସତ୍ତ୍ବେ ତାଙ୍କ ଉପସ୍ଥିତିରେ ପ୍ରଣବ ସଭାପତି ଚୌକିରେ ବସିବା ଏକ ଅସୁନ୍ଦର ପରମ୍ପରା ବୋଲି କୁହାଯାଉଛି। ପୂର୍ବରୁ ପ୍ରଣବ ଯେତେବେଳେ ବି ଓସିଏ କାର୍ଯ୍ୟାଳୟକୁ ଆସୁଥିଲେ ସେତେବେଳେ ସମ୍ପାଦକଙ୍କ କାର୍ଯ୍ୟାଳୟରେ ଅଲଗା ଚୌକିରେ ବସୁଥିଲେ। କିନ୍ତୁ ଶୁକ୍ରବାର ଦାୟିତ୍ବ ଗ୍ରହଣ ନକରି ମଧ୍ୟ ନିଜ ଅଧିକାର ସାବ୍ୟସ୍ତ କରିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା।

Related Posts