ଟୁଇଟ୍ କରି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ବବି; ‘ହିଂସାକୁ ସମର୍ଥନ କରି ଓଡ଼ିଶାର ଯୁବକମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?’

ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ବିଧାନସଭା ଘେରାଉ ସମୟରେ ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ପୋଲିସ ମାଡ଼ ମାରିବା ଓ ପରେ ଗିରଫ କରିବାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବ ଦାସ୍ ହତ୍ୟା ଘଟଣା, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବିଜେପି କର୍ମୀଙ୍କ ଉପରେ ପୋଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନକୁ ଧର୍ମେନ୍ଦ୍ରଙ୍କ ସମାଲୋଚନା ପରେ ଏନେଇ ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ଜବାବ ରଖିଛନ୍ତି ପ୍ରଣବ । ହିଂସାକୁ ସମର୍ଥନ କରି ଓଡ଼ିଶାର ଯୁବକମାନଙ୍କୁ ଆପଣ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ବବି ।

ପ୍ରଣବ ଟ୍ୱିଟ କରି କହିଛନ୍ତି ଯେ, ଭାଇ, ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି । ନିକଟରେ ରାଜଧାନୀରେ ବିକ୍ଷୋଭ ନାଁ ରେ ତାଙ୍କ ନେତୃତ୍ଵରେ ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା ବୋଲି କହିଛନ୍ତି । ଏଥିସହ ପୋଲିସ ଓ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁର ଏକ ଭିଡିଓ ଜାରି କରିଛନ୍ତି ପ୍ରଣବ । ସେହି ଭିଡିଓ ଦେଖିବା ଲାଗି ଧର୍ମେନ୍ଦ୍ରଙ୍କୁ କହିଛନ୍ତି । ସେ ଆଗରୁ ମଧ୍ୟ ଏହା ତାଙ୍କୁ ଦେଇଥିଲେ ବୋଲି କହିଛନ୍ତି । ତେଣୁ ଆପଣ ନିଶ୍ଚୟ ତାହା ଦେଖିଥିବେ ବୋଲି ସେ କହିଛନ୍ତି । ଏଥିସହ ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଣବ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି, ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ । ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ । ସ୍ଵାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି । ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ । ଆମେ ଭାବିଥିଲୁ, ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା । ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି । ଆପଣଙ୍କୁ ମୋର ଅନୁରୋଧ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧିକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ । ନ ହେଲେ ଭବିଷ୍ୟତରେ ଏହି ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ ଟୁଇଟ୍ କରି ବବି କହିଛନ୍ତି ।

Related Posts