ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ରାଜ୍ୟର ଶାସକ ଦଳ ଭାରତ ରାଷ୍ଟ୍ର ସମିତି (BRS) । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଯଥେଷ୍ଟ ପୂର୍ବରୁ ଆଜି ମାତ୍ର ଗୋଟିଏ ପର୍ଯ୍ୟାୟରେ ହିଁ ଦଳ ରାଜ୍ୟର ସମସ୍ତ ୧୧୯ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ହେଲେ ଏଥିରେ ମାତ୍ର ୭ଟି ଆସନରେ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ ।
ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ଜିତି ପୁଣି କ୍ଷମତା ବଜାୟ ରଖିବା ପାଇଁ ମୁଖ୍ଯମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ପ୍ରୟାସ କରୁଥିବା ବେଳେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ କଂଗ୍ରେସ ଓ ଦ୍ବିତୀୟ ପ୍ରତିଦ୍ବନ୍ଦ୍ବୀ ଭାବେ ଭାରତୀୟ ଜନତା ପାର୍ଟି ରହିଛି ।
ତେବେ ନିର୍ବାଚନର ଯଥେଷ୍ଟ ପୂର୍ବରୁ ଆଜି ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେସିଆର । ଏହି ଅବସରରେ ସେ କହିଛନ୍ତି, ମୋଟ ଆସନରୁ ତାଙ୍କ ଦଳ ୯୫ ରୁ ୧୦୫ଟି ଆସନ ଜିତିବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ କେସିଆର୍ ନିଜର ପାରମ୍ପରିକ ଆସନ ଗଜଓ୍ବେଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ବେଳେ ଚଳିତ ଥର ଆଉ ଗୋଟିଏ ଅତିରିକ୍ତ ଆସନରୁ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିବେ । ଏହି ଦ୍ବିତୀୟ ଆସନଟି ହେବ କାମାରେଡ୍ଡୀ ।
ରାଜ୍ୟରେ ଶାସକ ବିଆରଏସର ମୁଖ୍ୟ ପ୍ରତିଦ୍ବନ୍ଦୀ ଥିବା କଂଗ୍ରେସ କିମ୍ବା ଅନ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡାନ୍ତ କରିପାରିନାହାନ୍ତି । କଂଗ୍ରେସ ୧୮ରୁ ୨୫ ତାରିଖ ମଧ୍ୟରେ ଟିକେଟ୍ ଆଶାୟୀଙ୍କ ଆବେଦନ ଗ୍ରହଣ କରିବା ପାଇଁ ସମୟ ଘୋଷଣା କରିଛି । ପରେ ବିଭିନ୍ନ ମାପଦଣ୍ଡରେ ଯୋଗ୍ୟ ପ୍ରାର୍ଥୀ ଚୟନ କରିବା ପରେ କଂଗ୍ରେସ ପ୍ରର୍ଯ୍ୟାୟ କ୍ରମେ ଘୋଷଣା କରିବ ।
ସେପଟେ ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୯୦ ଆସନ ବିଶିଷ୍ଟ କଂଗ୍ରେସ ଶାସିତ ଛତିଶଗଡ଼ ପାଇଁ ପ୍ରଥମ ପର୍ଯ୍ୟାରେ ୨୧ ପ୍ରାର୍ଥୀ ଓ ମଧ୍ୟ ପ୍ରଦେଶରେ ୨୩୦ ଆସନ ମଧ୍ୟରୁ ୩୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ ।





