ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ। ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ ଓ ମେ ୧୩ ତାରିଖରେ ଭୋଟ୍ ଗଣନା କରାଯିବ। ଏନେଇ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନର ପ୍ଲିନାରି ହଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର।
ମୁଖ୍ୟ ନିର୍ବାଚନ କମିସନର୍ ଙ୍କ ଘୋଷଣା ଅନୁସାରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ। ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆବଶ୍ୟକସ୍ଥଳେ ପ୍ରାର୍ଥୀମାନେ ଏପ୍ରିଲ୍୨୪ ତାରିଖ ସୁଦ୍ଧା ଦାଖଲ କରିଥିବା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।
ଏହାଛଡ଼ା, ପଞ୍ଜାବର ଜଳନ୍ଧର, ଓଡ଼ିଶାର ଝାରସୁଗୁଡ଼ା, ଉତ୍ତର ପ୍ରଦେଶର ଛାନ୍ବେ, ସୁଆର୍, ମେଘାଳୟର ସୋହିଗଙ୍ଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ମେ ୧୦ ତାରିଖରେ ଉପନିର୍ବାଚନ କରାଯିବ।
ଭାରତର ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାରଙ୍କ ସହିତ ଏହି ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିସନର୍ ଅନୁପଚନ୍ଦ୍ର ପାଣ୍ଡେ ଏବଂ ଅରୁଣ ଗୋଏଲ୍ ମଧ୍ୟ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ କମିସନର୍ ରାଜୀବ କୁମାର ସୂଚନା ଦେଇ କହିଛନ୍ତି ଯେ, ମେ ୨୪ ତାରିଖରେ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ। ତେବେ ଚଳିତ ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମତଦାନ କରିବା ଲାଗି ସମୁଦାୟ ୫.୨ କୋଟି ଯୋଗ୍ୟ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୮୦ରୁ ଅଧିକ ବର୍ଷ ବୟସ୍କ ଭୋଟର୍ଙ୍କ ସଂଖ୍ୟା ୧୨.୫ ଲକ୍ଷ। ତେବେ ଚଳିତ ଥର ପ୍ରଥମ କରି ୮୦ ବର୍ଷରୁ ଅଧିକ ବୟସ୍କ ଭିନ୍ନକ୍ଷମ ଭୋଟ୍ଦାତା ଘରେ ଥାଇ ଭୋଟ୍ ଦେଇ ପାରିବେ। କର୍ଣ୍ଣାଟକରେ ଥିବା ସମୁଦାୟ ୫.୨୧ ଭୋଟର୍ଙ୍କ ମଧ୍ୟରୁ ୫.୫୫ ହେଉଛନ୍ତି ଭିନ୍ନକ୍ଷମ।
ସେହିପରି, ଚଳିତବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୯.୧୭ ଭୋଟର୍ ହେଉଛନ୍ତି ସମ୍ପୂର୍ଣ୍ଣ ନୂଆ ଓ ସେମାନେ ପ୍ରଥମ କରି ଭୋଟ୍ ଦେବା ବୟସରେ ପଦାର୍ପଣ କରିଛନ୍ତି ବୋଲି ନିର୍ବାଚନ କମିସନର୍ କହିଛନ୍ତି। ଏହାଛଡ଼ା, ଚଳିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କିନ୍ନରମାନଙ୍କ ପ୍ରତି ବିଶେଷ ଗୁରୁତ୍ବାରୋପ କରାଯିବ। କର୍ଣ୍ଣାଟକର ‘ଭଲ୍ନେରାବଲ୍ ଟ୍ରାଇବାଲ୍ ଗ୍ରୁପ୍ସ୍’ଙ୍କ (ପିଭିଟିଜି ବା କର୍ଣ୍ଣାଟକର ଆଦିମ ଅଧିବାସୀ) ଭୋଟ୍ ଉପରେ ବି ବିଶେଷ ଧ୍ୟାନ ଦିଆଯାଇଛି। ସେମାନଙ୍କ ପାଇଁ ୪୦ ‘ପିଭିଟିଜି’ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ନିର୍ବାଚନ କମିସନର୍ କହିଛନ୍ତି।
ତେବେ ସମଗ୍ର କର୍ଣ୍ଣାଟକର ୨୨୪ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ନିମନ୍ତେ ୫୮,୨୮୨ଟି ମତଦାନ କେନ୍ଦ୍ର ସ୍ଥାପନା କରାଯିବ। ପ୍ରତି ଭୋଟ୍ ଗ୍ରହଣ କେନ୍ଦ୍ରରେ ହାରାହାରି ମତଦାତାଙ୍କ ସଂଖ୍ୟା ହେଉଛି ୮୮୩। ଏହାଛଡ଼ା, ୫୦% ମତଦାନ କେନ୍ଦ୍ରରେ ‘ୱେବ୍ କାଷ୍ଟିଙ୍ଗ୍’ ସୁବିଧା ରହିବ। ୧୩୨୦ ମତଦାନ କେନ୍ଦ୍ରକୁ କେବଳ ମହିଳାମାନେ ପରିଚାଳନା କରିବେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।





