ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମ୍ପାଦକୀୟ ପରେ ପୁଣି ଅମଲାତନ୍ତ୍ରଙ୍କୁ ସୌମ୍ୟରଂଜନଙ୍କ ଟାର୍ଗେଟ | ଗତକାଲି ନିଜ ଜନ୍ମଦିନରେ ନିଜ ଖବରକାଗଜରେ ମନ୍ତ୍ରୀ ବଡ ନା ସଚିବ ବଡ ପ୍ରସଙ୍ଗ ଉଠାଇଥିଲେ ସୌମ୍ୟ ବାବୁ | ଏହାକୁ ନେଇ ଦିନ ତମାମ ଚର୍ଚ୍ଚା ଚାଲିଥିବାବେଳେ ପୁଣି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସମାନ ପ୍ରସଙ୍ଗ ସେ ଉଠାଇଛନ୍ତି | ସେ କହିଛନ୍ତି ଯେ, ମୋ ମତରେ ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ମନ୍ତ୍ରୀ ବଡ଼ | ହେଲେ ମନ୍ତ୍ରୀ ମାନେ ଏବେ ବଡ ହେବାକୁ ଚାହୁଁନାହାନ୍ତି | ଆଜି ଗଣତନ୍ତ୍ର ଦଳତନ୍ତ୍ରରେ ପରିଣତ ହୋଇଛି | ଅମଲାତନ୍ତ୍ର ଆମ ବ୍ୟବସ୍ଥାକୁ ନିଜ କବଜାରେ ରଖିବାକୁ ଚେଷ୍ଟା କରୁଛି | ଓଡ଼ିଶାରେ ଏକ ଅଦ୍ଭୁତ ଶାସନ ବ୍ୟବସ୍ଥା ଦେଖିବାକୁ ମିଳୁଛି | କିନ୍ତୁ ଆମର ଆର୍ଥିକ ଅବସ୍ଥା ଭଲ ଥିବାରୁ ଏହି ବ୍ୟବସ୍ଥା ସଫଳ ହୋଇଛି ବୋଲି ସେ କହିଛନ୍ତି |
ତେବେ ଓଡିଶାବାସୀଙ୍କ ସେବା କରିବା ପାଇଁ ବିଧାୟକ କି ମନ୍ତ୍ରୀ ହେବାର ଆବଶ୍ୟକତା ନାହିଁ। ବରଂ ଓଡିଶାର ରାଜନିତୀରେ ଥିବା ଦଲାଲମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସୌମ୍ୟରଂଜନ ନିଜ ବକ୍ତବ୍ୟରେ କହିଛନ୍ତି।
ତେବେ ଶାସକ ଦଳର ବିଧାୟକ ହୋଇ ପ୍ରଥମେ ସମ୍ପାଦକୀୟ ଓ ପରେ ନିଜ ବକ୍ତବ୍ୟରେ ସୌମ୍ୟ ବାବୁ ସିଧାସଳଖ ରାଜ୍ୟର ଶାସନ ବ୍ୟବସ୍ଥା ଓ ଅମଲାତନ୍ତ୍ର ଉପରକୁ ଆଙ୍ଗୁଳି ଉଠାଇବା ପରେ ଏବେ ଏହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି |





