ଭୁବନେଶ୍ୱର,୧୩/୮(ସତ୍ୟପାଠ ବ୍ୟୁରୋ): ସସ୍ପେଣ୍ଡ ହେଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଦେଢ ବର୍ଷ ପାଇଁ ସସ୍ପେଣ୍ଡ କଲା ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ସସ୍ପେଣ୍ଡ କରାଯାଇଥିବା ଜଣାପଡିଛି। ତେବେ ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ପ୍ରମୋଦ ଆଉ ଭାଗ ନେଇପାରିବେନି। ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ ଏକ ବିବୃତ୍ତି ଜାରି କରି କହିଛି, ୨୦୨୦ ଟୋକିଓ ପାରା ଅଲିମ୍ପିକ ଚାମ୍ପିୟନ ପ୍ରମୋଦ ଭଗତଙ୍କୁ ୧୮ମାସ ପାଇଁ ନିଲମ୍ୱିତ କରାଯାଇଚି।
ସେ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାଗ ନେଇ ପାରିବେ ନାହିଁ। କୋର୍ଟ ଅଫ୍ ଆର୍ବିଟେସନ୍ (CAS) ପ୍ରମୋଦଙ୍କୁ ବର୍ଷକ ମଧ୍ୟରେ ୩ଥର ସୁଯୋଗ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରମାଣ କରିପାରିନଥିଲେ। ମାର୍ଚ୍ଚ ୨୦୨୪ରେ କୋର୍ଟ ଅଫ୍ ଆର୍ବିଟେସନ୍ ଆଣ୍ଟି ଡୋପିଂ ଡିଭିଜନ ତାଙ୍କୁ ଏକ ବର୍ଷ ମଧ୍ୟରେ ୩ଥର ସ୍ଥାନ ବିଷୟରେ ବିସ୍ତୃତ ସୂଚନା ମାଗିଥିଲେ ସୁଦ୍ଧା ସେ ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନର ଆଣ୍ଟି ଡୋପିଂ ନିୟମର ଉଲ୍ଲଂଘନ କରିଥିଲେ।
ପ୍ରମୋଦ ଭଗତ ଭାରତୀୟ ପାରା-ବ୍ୟାଡମିଣ୍ଟନର ମୂଳଦୁଆ ପକାଇଥିଲେ। ତାଙ୍କର ସଫଳତା ଏବଂ କ୍ରୀଡା ପ୍ରତି ଉତ୍ସର୍ଗୀକୃତ ଭାବନା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି। ଟୋକିଓ ପାରାଲିମ୍ପିକ୍ସ-୨୦୨୦ରେ ପୁରୁଷ ସିଙ୍ଗଲ୍ସ SL3 ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ସହିତ ତାଙ୍କ କ୍ୟାରିଅରରେ ଅନେକ ଉଲ୍ଲେଖନୀୟ ସଫଳତା ଦେଖିବାକୁ ମିଳିଛି । ଏହି ବିଜୟ ପାରା-ବ୍ୟାଡମିଣ୍ଟନରେ ଭାରତର ଶକ୍ତିକୁ ସୂଚିତ କରିଛି । ପାରାଲିମ୍ପିକ୍ସରେ ସଫଳତା ବ୍ୟତୀତ ଭାଗବତ ବିଶ୍ୱ ଚାମ୍ପିୟନସିପ ଏବଂ ଏସିଆନ୍ ପାରା ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ବିଶ୍ୱ ସ୍ତରରେ ପାରା-ବ୍ୟାଡମିଣ୍ଟନରେ ଭାରତର ସମ୍ମାନ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ।ହେଲେ ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ପ୍ରମୋଦ ନିଲମ୍ବନ ହେବା ତାଙ୍କର ପଦକ ଆଶାକୁ ଧୂଳିସାତ କରିଦେଇଛି।ଓଡ଼ିଶାର ଗର୍ବ ତଥା ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି । ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ସମସ୍ତଙ୍କୁ ଏକ ଶକ୍ତ ଧକ୍କା ଲାଗିଛି।





