୨୦୩୦ ସୁଦ୍ଧା ଦିଲ୍ଲୀ-ଏନ୍‌ସିଆର୍ ହେବ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗରୀ

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ-ଏନ୍‌ସିଆର୍ ବିଶ୍ବର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ମହାନଗରୀରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛି। ଜାତିସଂଘ ବିଶ୍ବ ସହରୀକରଣ ସମ୍ଭାବନା (ୟୁଏନ୍‌ଡବ୍ଲୁୟୁପି)ର ଆକଳନ ଅନୁସାରେ, ଦିଲ୍ଲୀ-ଏନ୍‌ସିଆର୍ ଅର୍ଥାତ୍ ରାଜଧାନୀ ଦିଲ୍ଲୀ ଏବଂ ନଏଡ଼ା ଓ ଗୁରଗାଓଁ ସମେତ ଏହାର ଆଖପାଖ ହରିୟାଣା ଓ ଉତ୍ତରପ୍ରଦେଶର ସହରାଞ୍ଚଳ ୨୦୩୦ ସୁଦ୍ଧା ଏହି ମାନ୍ୟତା ଲାଭ କରିବ। ୨୦୨୦ରେ ପ୍ରାୟ ୩୦ ନିୟୁତ ଜନସଂଖ୍ୟା-ବିଶିଷ୍ଟ ଦିଲ୍ଲୀ-ଏନ୍‌ସିଆର୍ ଏବେ ଟୋକିଓ ପରେ ବିଶ୍ବର ଦ୍ବିତୀୟ ବୃହତ୍ତମ ଜନବହୁଳ ମହାନଗରୀ (ୟୁଏ) ଭାବେ ଗଣା ହେଉଛି। ଆସନ୍ତା ୭ ବର୍ଷରେ ଏଥିରେ ଆଉ ୯ ନିୟୁତ ଲୋକ ଯୋଡ଼ି ହେବାର ସମ୍ଭାବନା ଥିବାରୁ ଏହା ଟୋକିଓକୁ ଟପିଯିବା ଆଶା କରାଯାଉଛି।

ଜାତିସଂଘର ତଥ୍ୟ ଦର୍ଶାଉଛି ୧୯୫୦ ଦଶକରେ ବିଶ୍ବର ସର୍ବାଧିକ ଜନବହୁଳ ଓ ଅର୍ଥନୈତିକ ଭାବେ ସମୃଦ୍ଧ ମହାନଗରୀଗୁଡ଼ିକ ପାଶ୍ଚାତ୍ୟ ଦେଶରେ ରହିଥିବା ବେଳେ କ୍ରମେ ତାହା ବିକାଶଶୀଳ ପ୍ରାଚ୍ୟ-ମୁହାଁ ହେବାରେ ଲାଗିଛି। ୨୦୩୦ ସୁଦ୍ଧା ୧୯୫୦ ଦଶକର ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବଦଳି ଯିବ। ସର୍ବାଧିକ ଜନବହୁଳ ୧୦ଟି ମହାନଗରୀ ମଧ୍ୟରୁ ୯ଟି ବିକାଶଶୀଳ ପ୍ରାଚ୍ୟ ଦେଶରେ ରହିବ।
୨୦୩୦ ପାଇଁ ଜାତିସଂଘର ପୂର୍ବାକଳନ ଅନୁସାରେ ଦିଲ୍ଲୀ-ଏନ୍‌ସିଆର୍, ଟୋକିଓ ଓ ସାଂଘାଇ ହେବ କ୍ରମାନୁସାରେ ସର୍ବାଧିକ ଜନବହୁଳ ମହାନଗରୀ, ଯେଉଁଗୁଡ଼ିକର ଜନସଂଖ୍ୟା ୩୦ ନିୟୁତରୁ ଅଧିକ ହେବ। ତାଙ୍କ ତଳକୁ କ୍ରମାନ୍ବୟରେ ଆସିବେ ଢାକା, କାଇରୋ, ମୁମ୍ବାଇ, ବେଜିଂ, ମେକ୍ସିକୋ ସିଟି, ସାଓ ପାଉଲୋ ଓ କିନସାସା, ଯେଉଁଗୁଡ଼ିକର ଜନସଂଖ୍ୟା ୨୦ରୁ ୩୦ ନିୟୁତ ଭିତରେ ରହିବ।

ଏହାର ବିପରୀତରେ ୧୯୫୦ରେ ଆମେରିକାର ନ୍ୟୁୟର୍କ ଥିଲା ବିଶ୍ବର ସର୍ବାଧିକ ଜନବହୁଳ ମହାନଗରୀ (ୟୁଏ) ଓ ଟୋକିଓ ଥିଲା ଦ୍ବିତୀୟ ସ୍ଥାନରେ। ତା’ ତଳକୁ କ୍ରମାନ୍ବୟରେ ରହିଥିଲା ଅର୍ଥନୀତିରେ ସମୃଦ୍ଧ ଲଣ୍ଡନ, ଓସାକା, ପ୍ୟାରିସ, ମସ୍କୋ ଓ ସିକାଗୋର ସ୍ଥାନ। ବୁଏନସ ଆୟାରିସ, କୋଲା ଓ ସାଂଘାଇର ଜନସଂଖ୍ୟା ମଧ୍ୟ ପ୍ରାୟ ସମାନ ସ୍ତରର ରହିଥିଲା।

କିନ୍ତୁ ବିକାଶଶୀଳ ଦେଶଗୁଡ଼ିକର ମହାନଗରୀଗୁଡ଼ିକର ଅର୍ଥନୀତି ଓ ଜନସଂଖ୍ୟା ଉଭୟରେ ଦ୍ରୁତ ବୃଦ୍ଧି ଘଟିବାକୁ ଲାଗିଲା। ଚାକିରି ଅନ୍ବେଷଣରେ ଏହି ସହରଗୁଡ଼ିକୁ ବହୁ ଲୋକଙ୍କ ଆଗମନ ଘଟିବାକୁ ଲାଗିଲା। ଦିଲ୍ଲୀ-ଏନ୍‌ସିଆର୍ ଅଞ୍ଚଳର ଜନସଂଖ୍ୟା ବୃଦ୍ଧିର ଏହା ହେଉଛି ମୁଖ୍ୟ କାରଣ। ୨୦୩୦ ସୁଦ୍ଧା ୧୦ ନିୟୁତରୁ ଅଧିକ ଜନସଂଖ୍ୟା-ବିଶିଷ୍ଟ ମହାନଗରୀ ଭ‌ାବେ ଗଣା ହେବ ଚୀନ୍‌ର ସେନଜେନ। ୧୯୫୦ରୁ ୨୦୩୦ ଭିତରେ ଏହାର ଜନସଂଖ୍ୟା ବୃଦ୍ଧିହାର ହେବ ୧୧.୧%। ସେନଜେନ ତଳକୁ ଦ୍ରୁତ ବୃଦ୍ଧିଶୀଳ ମହାନଗରୀଗୁଡ଼ିକ ଭିତରେ ଅଛନ୍ତି ଦର ଏସ୍ ସଲାମ, କିନସାସା, ଲୁଆଣ୍ଡା, ଢାକା ଓ ଲାଗୋସ, ଯେଉଁଠି ବାର୍ଷିକ ଜନସଂଖ୍ୟା ବୃଦ୍ଧିହାର ହେଉଛି ବାର୍ଷିକ ୫ ପ୍ରତିଶତରୁ ଅଧିକ। ଦିଲ୍ଲୀ-ଏନ୍‌ସିଆର୍, ବେଙ୍ଗାଲୁରୁ, ଲାହୋର ଓ ବଗୋଟାର ବୃଦ୍ଧିହାର ୩ରୁ ୫ ପ୍ରତିଶତ ଭିତରେ ରହିବ।
ଭାରତରେ ଦିଲ୍ଲୀ-ଏନ୍‌ସିଆର୍ ତଳକୁ ଜନସଂଖ୍ୟାରେ ଦ୍ବିତୀୟ ସ୍ଥାନ ଗ୍ରହଣ କରିବ ମୁମ୍ବାଇ ଅଞ୍ଚଳ। ତା’ ତଳକୁ ତୃତୀୟ ସ୍ଥାନରେ ରହିବ କୋଲକାତା ଓ ଚତୁର୍ଥରେ ରହିବ ବେଙ୍ଗାଲୁରୁ। ଚେନ୍ନାଇ ପଞ୍ଚମ ସ୍ଥାନକୁ ଖସିବା ବେଳେ ଷଷ୍ଠରେ ହାଇଦ୍ରାବାଦ ଓ ସପ୍ତମରେ ଅହମଦାବାଦର ସ୍ଥାନ ରହିବ। ଯଦି ଜନସଂଖ୍ୟା ଦୃଷ୍ଟିରୁ ପ୍ରଥମ ୧୦ଟି ମହାନଗରୀର ଗଣନା କରାଯାଏ, ତେବେ ଅଷ୍ଟମରେ ସୁରତ, ନବମରେ ପୁଣେ ଓ ଦଶମରେ କୋଝିକୋଡର ସ୍ଥାନ ରହିବ ବୋଲି ଜାତିସଂଘ ତଥ୍ୟରୁ ଜଣାପଡ଼ିଛି।

ଜାତିସଂଘ ତଥ୍ୟରୁ ବିଶ୍ବରେ ସହରୀକରଣର ଦ୍ରୁତଗତି ବିଷୟରେ ଜଣାଯାଇଛି। ୧୯୫୦ରେ ସାରା ବିଶ୍ବରେ ମାତ୍ର ୭୬ଟି ମହାନଗରୀ ଥିଲା ଏବଂ ପ୍ର‌ତ୍ୟେକର ଜନସଂଖ୍ୟା ଏକ ନିୟୁତରୁ ଅଧିକ ଥିଲା। ୨୦୩୦ ସୁଦ୍ଧା ଏହି ସଂଖ୍ୟା ପ୍ରାୟ ୧୦ ଗୁଣ ବୃଦ୍ଧି ପାଇ ୭୦୬ ହେବ ବୋଲି ଆକଳନ କରାଯାଇଛି। ଚୀନ୍‌ରେ ୨୦୩୦ ସୁଦ୍ଧା ୭୩ଟି ମହାନଗରୀ ରହିବା ବେଳେ ଭାରତରେ ଏହି ସଂଖ୍ୟା ୭୦ ଟପିବ ବୋଲି ଆକଳନ କରାଯାଇଛି।

Related Posts