ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ହୋଇ ସାରିଥିଲା ନବ ଦାସଙ୍କ ମୃତ୍ୟୁ !

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ଆଉ ଏକ ସନସନୀ ତଥ୍ୟ ସାମ୍ନାକୁ ଆସିଛି | ଆଉ ତାହା ହେଲା ଝାରସୁଗୁଡା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ନବ ଦାସଂକୁ ଗୁଳି ବିଦ୍ଧ ଅବସ୍ଥାରେ ଭର୍ତି କରାଯିବା ବେଳକୁ ନବ ଦାସ ଜୀବିତ ନ ଥିଲେ। ଏବେ ବିଭିନ୍ନ ଗଣମାଧ୍ୟମରେ ଝାରସୁଗୁଡ଼ା ମେଡିକାଲରେ ନବ ଦାସଙ୍କୁ ଭର୍ତ୍ତି କରାଯିବା ପରେ ଲେଖାଯାଇଥିବା ଓପିଡି ଟିକେଟ୍‌କୁ ନେଇ ପ୍ରଶ୍ନ ଉଠାଯାଉଛି | ଏହି ଓପିଡି ଟିକେଟ୍‌ ରେ ନବଂକୁ ଚିକିତ୍ସା କରିଥିବା ଡାକ୍ତର, କେବଳ ତାଙ୍କୁ Better Treatment ପାଇଁ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସମ୍ପର୍କରେ ଉଲ୍ଳେଖ କରିଛନ୍ତି | ଝାରସୁଗୁଡ଼ା ମେଡିକାଲରେ ନବ ଦାସଙ୍କୁ ଦିଆଯାଇଥିବା ଚିକିତ୍ସା ସମ୍ପର୍କରେ ଏଥିରେ କିଛି ଲେଖା ଯାଇନଥିବାରୁ ଝାରସୁଗୁଡ଼ା ମେଡିକାଲରେ ତାଙ୍କୁ କୌଣସି ଚିକିତ୍ସା କରାଯାଇ ନ ଥିବା କୁହାଯାଉଛି | ଏଥିରୁ ସ୍ପଷ୍ଟ ଯେ ନବ ଡୀକ୍ତରଖାନାରେ ପହଂଚିବା ବେଳକୁ ଜୀବିତ ନ ଥିଲେ। ତେବେ ଏ ସମ୍ପର୍କରେ ହତ୍ୟାକାଣ୍ଡର 4 ଦିନ ପରେ ଅର୍ଥାତ ଗତ ଫେବୃୟାରୀ 2 ତାରିଖରେ ଆମେ ହିଁ ସତ୍ୟପାଠରେ ଏହି ପ୍ରଶ୍ନ ଉଠାଇଥିଲୁ | ସେ ସମୟରେ ଝାରସୁଗୁଡ଼ା ମେଡିକାଲରେ ହୋଇଥିବା ନବ ଦାସଙ୍କ ECG ରିପୋର୍ଟ ସତ୍ୟପାଠର ହସ୍ତଗତ ହୋଇଥିବା ବେଳେ, ଏଥିରେ ସେ ମୃତ ବୋଲି ଦର୍ଶାଯାଇଥିଲା | ଆଉ ଏହି ରିପୋର୍ଟର ସତ୍ୟାସତ୍ୟ କେତେ ତାକୁ ନେଇ ସରକାରଙ୍କ ପକ୍ଷରୁ ମଧ୍ୟ କୌଣସି ସ୍ପଷ୍ଟୋକ୍ତି ଆସିନଥିଲା |

ଆଉ ଏବେ ଝାରସୁଗୁଡ଼ା ମେଡିକାଲର ଯେଉଁ ଓପିଡି ଟିକେଟ୍‌ ସାମ୍ନାକୁ ଆସିଛି ତାହା ମଧ୍ୟ ସମାନ ଦିଗକୁ ଇଙ୍ଗିତ କରୁଛି | ଏହି ଓପିଡି ଟିକେଟ୍‌ ରେ କେବଳ ଉଚ୍ଚତର ଚିକିତ୍ସାଳୟକୁ ନବଙ୍କୁ ସ୍ଥାନାନ୍ତର କରାଯାଇଥିବା ଉଲ୍ଳେଖ ରହିଥିବା ବେଳେ, ଘଟଣା ସମୟରେ ତାଙ୍କର ରକ୍ତଚାପ ଓ ହୃତ୍‌ ସ୍ପନ୍ଦନ କେତେ ଥିଲା, ଡାକ୍ତର କ’ଣ ଚିକିତ୍ସା କଲେ ସେ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲେଖ ନାହିଁ | ତେବେ ମେଡିକାଲ ଏଥିକ୍ସ ଅନୁସାରେ, ରୋଗୀଙ୍କୁ ଦେଖୁଥିବା ଡାକ୍ତର ଓପିଡି ଟିକେଟରେ ସମସ୍ତ ନିରୀକ୍ଷଣ, ଚିକିତ୍ସା ଓ ପରାମର୍ଶ ବିଷୟରେ ଉଲ୍ଲେଖ କରିଥାନ୍ତି। ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଗଲେ, ଉକ୍ତ ଟିକେଟରେ ଥିବା ଚିକିତ୍ସା ଆଧାରରେ ପରବର୍ତ୍ତୀ ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ହୋଇଥାଏ । ଯାହା ଏକ ସାଧାରଣ ପ୍ରକ୍ରିୟା ହୋଇଥିବା ବେଳେ, ରାଜ୍ୟର ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ହେବା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଘଟଣା ଦିନ ଝାରସୁଗୁଡ଼ାରୁ ନବ ଦାସଙ୍କୁ ଭୁବନେଶ୍ୱର ଏୟାର ଲିଫ୍ଟ କରାଗଲା ଓ ସନ୍ଧ୍ୟାରେ ଆପୋଲୋ ହସ୍ପିଟାଲରେ ତାଙ୍କର ଅପରେସନ ପରେ ତାଙ୍କୁ ମୃତ ଘୋଷଣା କରାଗଲା | ଆଉ ଗୁଳି ତାଙ୍କର ବାମ ଛାତିରେ ବାଜି ହୃତପିଣ୍ଡକୁ କଣା କରି ବାହାରି ଯାଇଥିବା କୁହାଗଲା | ଏଭଳି ପରିସ୍ଥିତିରେ ଜଣେ ବ୍ୟକ୍ତି ଗୋଟିଏ ମିନିଟ ବଂଚିବା କଷ୍ଟକର ହୋଇଥିବା ବେଳେ, ନବ ଦାସଙ୍କୁ ଦିନ 12 ଟା ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ କଣ ଚିକିତ୍ସା କରାଯାଉଥିଲା ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି |

ସତ୍ୟପାଠରେ ଆମେ ସେତେବେଳେ ଦେଖାଇଥିବା ECG ରିପୋର୍ଟ ଓ ଏବେ ସାମ୍ନାକୁ ଆସିଥିବା ଓପିଡି ଟିକେଟ୍‌, ଝାରସୁଗୁଡ଼ାରେ ହିଁ ନବଙ୍କ ଦେହାନ୍ତ ହୋଇ ଯାଇଥିବା ଆଡକୁ ଇଙ୍ଗିତ କରୁଛି | ତେବେ ସରକାରଙ୍କ ପକ୍ଷରୁ ସେ ସମୟରେ ଏୟାରଲିଫ୍ଟ କରି ଭୁବନେଶ୍ୱର ଆଣିବା, ଆଉ ଆପୋଲୋ ହସ୍ପିଟାଲରେ ଅପରେସନ ପରେ ନବ ଦାସଙ୍କ ମୃତ୍ୟୁ ହୋଇଥିବା କୁହାଯିବା କେବେଳ ଏକ ପ୍ରହସନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

Related Posts