ଭୁବନେଶ୍ୱର, 02/04/2026 : ରାଜ୍ୟ ରାଜନୀତିରେ ଏବେ ପୁଣ ଥରେ ମନ୍ତ୍ରୀମଣ୍ଡଳ ପୁନର୍ଗଠନ ଚର୍ଚ୍ଚା ଜୋର ଧରିଛି | 30 ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷମାନଙ୍କ ନିଯୁକ୍ତି ପରେ ଏହି ଆଲୋଚନା ଆହୁରି ତୀବ୍ର ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଓଡ଼ିଶାରୁ ଦୁଇ ଟାଣୁଆ ବିଧାୟକ ଜୟନାରାୟଣ ମିଶ୍ର ଓ ଇରାଶିଷ ଆଚାର୍ଯ୍ୟଙ୍କ ନାମ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି ।
ସମ୍ବଲପୁର ବିଧାୟକ Jay Narayan Mishra ଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ସମ୍ଭାବନା ସବୁଠାରୁ ଅଧିକ ବୋଲି ଚର୍ଚ୍ଚା। ସମ୍ବଲପୁର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ନିଯୁକ୍ତି ପରେ ଏହି ଅନୁମାନ ଆହୁରି ଜୋର ଧରିଛି।ସାଧାରଣତଃ ଏହି ପଦବୀ ସ୍ଥାନୀୟ ନେତାଙ୍କୁ ଦିଆଯାଏ, କିନ୍ତୁ ଏଥର ବାହାର ଜିଲ୍ଲାର ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯିବାରୁ ଜୟନାରାୟଣଙ୍କ ପାଇଁ କ୍ୟାବିନେଟ୍ ଦ୍ୱାର ଖୋଲା ହେଉଥିବା ଆକଳନ କରାଯାଉଛି।
ଅନ୍ୟପଟେ ବରଗଡ଼ ଜିଲ୍ଲାରୁ ମଧ୍ୟ ଜଣେ ନୂଆ ମୁହଁକୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ପ୍ରାୟ ନିଶ୍ଚିତ। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କରାଯିବା ପରେ, ମନ୍ତ୍ରୀ ଦୌଡ଼ରେ ଭଟଲି ବିଧାୟକ Irasis Acharya ଙ୍କ ନାମ ସବୁଠାରୁ ଆଗରେ ଆସିଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଶ୍ୱସ୍ତ ତଥା ‘ଗୁଡ୍ ବୁକ୍’ରେ ଥିବା ଇରାଶିଷଙ୍କୁ ପଶ୍ଚିମ ଓଡ଼ିଶାର ଯୁବ ଚେହେରା ଭାବେ ସରକାରରେ ସାମିଲ କରାଯାଇପାରେ।
ରାଜନୈତିକ ସମୀକରଣ
- ଆଞ୍ଚଳିକ ସନ୍ତୁଳନ: ପଶ୍ଚିମ ଓଡ଼ିଶାର ପ୍ରତିନିଧିତ୍ୱ ବଢ଼ାଇବାକୁ ଏହି ଦୁଇ ନେତାଙ୍କୁ ଗୁରୁତ୍ୱ ମିଳିପାରେ।
- ଅଭିଜ୍ଞତା + ଯୁବଶକ୍ତି: ଜୟନାରାୟଣଙ୍କ ଅଭିଜ୍ଞତା ସହ ଇରାଶିଷଙ୍କ ଯୁବ ନେତୃତ୍ୱକୁ ମିଶାଇ ସରକାର ନୂଆ ସନ୍ଦେଶ ଦେବାକୁ ଚାହୁଁଛନ୍ତି ।
- ରାଜ୍ୟ ସରକାର ବର୍ତ୍ତମାନ ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀକୁ ଦ୍ରୁତ କରିବାକୁ ଚାହୁଁଛି। ଏହି ପରିସ୍ଥିତିରେ କିଛି ନୂଆ ମୁହଁକୁ ମନ୍ତ୍ରୀମଣ୍ଡଳରେ ସାମିଲ କରି ବିକାଶକୁ ତେଜ କରିବା ସହ ବିରୋଧୀଙ୍କୁ ରାଜନୈତିକ ଭାବେ ଚେକ୍ ଦେବା ଯୋଜନା ଚାଲିଛି।ତେବେ ଚୂଡ଼ାନ୍ତ ନିଷ୍ପତ୍ତି କେବେ ଘୋଷଣା ହେବ, ଏବଂ କାହା ମୁଣ୍ଡରେ ପଡ଼ିବ ମନ୍ତ୍ରୀପଦର ମୋହର ତାହାକୁ ନେଇ ରାଜନୈତିକ ମହଳରେ ଉତ୍ସୁକତା ଚରମ ସୀମାରେ।





