ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେପି ସରକାର ଆଦିବାସୀମାନଙ୍କୁ କେବଳ ଜଙ୍ଗଲରେ ସୀମିତ ରଖିବାକୁ ଚାହୁଁଛି। ଆଦିବାସୀ ବଦଳରେ ବନବାସୀ ବୋଲି ଆଖ୍ୟା ଦେଇ ସେମାନଙ୍କ ଅସ୍ତିତ୍ୱ ଓ ଭୂମି ଉପରେ ତାଙ୍କର ମାଲିକାନାକୁ ଅସ୍ୱୀକାର କରୁଛି ବୋଲି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। କିଛିଦିନ ତଳେ ରାଜସ୍ଥାନରେ ମଧ୍ୟ ଏକ ସଭାରେ ଯୋଗ ଦେଇ ସମାନ କଥା କହିଥିଲେ ରାହୁଲ। ଆଦିବାସୀଙ୍କ ଠାରୁ ଜମି ଛଡ଼ାଇ ନେଇ ବିଜେପି ସରକାର ଶିଳ୍ପପତିମାନଙ୍କୁ ଦେଉଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ।
କେରଳ ୱାୟନଡ଼ ଜିଲ୍ଲା ମନନ୍ତଭାଡି ଏରିଆ ନାଲୋର୍ନାଡରେ ଥିବା ଡ. ଆମ୍ବେଦକର ଡିଷ୍ଟ୍ରିକ୍ଟ ମେମୋରୀଆଲ କ୍ୟାନ୍ସର ସେଣ୍ଟରରେ ଏଚ୍ଟି କନେକ୍ସକୁ ଉଦ୍ଘାଟନ କରିବା ଅବସରରେ ଏପରି କହିଛନ୍ତି ରାହୁଲ। ଆଦିବାସୀମାନଙ୍କୁ ବନବାସୀ ବୋଲି କହିବା ପଛରେ ବିଜେପି ନେତା ଏକ ବିକୃତ ତର୍କ ଦେଉଛନ୍ତି। ଯେଉଁଥିରେ ସେମାନେ ଆଦିବାସୀମାନଙ୍କୁ ବନବାସୀ କହି ତାଙ୍କର ମୂଳ ମାଲିକାନାକୁ ଅସ୍ୱୀକାର କରୁଛନ୍ତି। ସେମାନେ ଚାହୁଁଛନ୍ତି ଆପଣ ଜଙ୍ଗଲରୁ ଆସୁଛନ୍ତି ତ ଆପଣ ଜଙ୍ଗଲ ଛାଡ଼ିବା କଥା ନୁହେଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ସେ କହିଛନ୍ତି ଯେ କଂଗ୍ରେସ ବିଜେପିର ଆଦର୍ଶକୁ ଗ୍ରହଣ କରେ ନାହିଁ। ଆଦିବାସୀଙ୍କୁ ବନବାସୀ କହି ଇତିହାସକୁ ବିକୃତ କରିବାକୁ ଚାହୁଁଛନ୍ତି। ଆଦିବାସୀ ପରମ୍ପରା ଓ ଦେଶ ସହିତ ସେମାନଙ୍କର ସମ୍ପର୍କ ଉପରେ ଏହା ଏକ କୁଠାରଘାତ ବୋଲି ରାହୁଲ କହିଛନ୍ତି। ହେଲେ ଆମ ପାଇଁ ଆପଣଙ୍କମାନେ ଆଦିବାସୀ ଓ ଜମିର ପ୍ରକୃତ ମାଲିକ। ତେଣୁ ସେମାନଙ୍କୁ ଭୂମି ଓ ଜଙ୍ଗଲ ଜମିର ଅଧିକାର ଦେବା ଦରକାର। ସେମାନଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ସ୍ୱାଧୀନତା ଦେବା ଦରକାର ବୋଲି ରାହୁଲ କହିଛନ୍ତି।
ଦେଶରେ ଅନ୍ୟ ନାଗରକିଙ୍କ ଭଳି ତାଙ୍କୁ ମଧ୍ୟ ଶିକ୍ଷା, ନିଯୁକ୍ତି ଆଦି ସୁବିଧା ଦିଆଯାଉ ବୋଲି ରାହୁଲ ଦାବି କରିଛନ୍ତି। ଆଜିର ଆଧୁନିକ ସମାଜ ଜଙ୍ଗଲ ନଷ୍ଟ କରୁଥିବା ବେଳେ ଆଦିବାସୀମାନେ ହଜାର ହଜାର ବର୍ଷ ହେଲା ଜଙ୍ଗଲର ରକ୍ଷକ ସାଜିଛନ୍ତି। ତେଣୁ ଆମକୁ ସେମାନଙ୍କ ଠାରୁ ଅନେକ କିଛି ଶିଖିବାର ଅଛି ବୋଲି ରାହୁଲ କହିଛନ୍ତି।
ସେହିପରି କ୍ୟାନ୍ସର୍ ହସ୍ପିଟାଲ୍ରେ ବିଦ୍ୟୁତ ସଂଯୋଗ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାହୁଲ। ସେ ତାଙ୍କ ସଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି ରାହୁଲ ଗାନ୍ଧୀ। ସୂଚନା ଥାଉକି ରାହୁଲ ଗାନ୍ଧୀ ଦୁଇ ଦିନିଆ ୱାୟନଡ଼ ଗସ୍ତରେ ଆସିଛନ୍ତି। ସାଂସଦ ପଦ ଫେରି ପାଇବା ପରେ ଗତକାଲି ସେ ୱାୟନଡ଼ରେ ପହଞ୍ଚିଛନ୍ତି।





