ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କ୍ୟାପିଟାଲ ହସପିଟାଲ ଏବଂ ବି.ଏମ୍.ସି. ହସ୍ପିଟାଲରେ ସୁପର ସ୍ପେସାଲିଷ୍ଟ ନିଯୁକ୍ତି ପାଇଁ କର୍ପସ ଫଣ୍ଡ । ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇଁ କର୍ପସ୍ ପାଣ୍ଠି ବ୍ୟବସ୍ଥାର ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ୱାରା ଖ୍ୟାତନାମା ଅଭିଜ୍ଞ ସୁପର ସ୍ପେସିଆଲିଷ୍ଟଙ୍କୁ ଆପୋଷ ଦରମା ଚୁକ୍ତି ଭିତ୍ତିରେ ଭୁବନେଶ୍ୱର ଆଡକୁ ଆକର୍ଷିତ କରାଯାଇପାରିବ ।କର୍ପସ୍ ପାଣ୍ଠିକୁ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ବିନିଯୋଗ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ ।
ଅଭିଜ୍ଞ ଓ ଖ୍ୟାତନାମା ସ୍ପେସିଆଲିଷ୍ଟଙ୍କୁ ଚୟନ କରିବା ନିମନ୍ତେ ବି.ଏମ୍.ସି. କମିଶନରଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଭୁବନେଶ୍ୱର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓଡ଼ିଶା, ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଏବଂ କ୍ୟାପିଟାଲ୍ ହସ୍ପିଟାଲର ନିର୍ଦ୍ଦେଶକ ସଦସ୍ୟ ଅଛନ୍ତି । ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଚୟନ ଓ ଦରମା ଚୁକ୍ତି ଆଦି ବିଷୟ ନିର୍ଦ୍ଧାରଣ କରିବେ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାପିଟାଲ୍ ହସ୍ପିଟାଲ୍କୁ ଏକ ଉନ୍ନତମାନର ସ୍ନାତକତ୍ତୋର ଭେଷଜ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଭାବେ ବିକଶିତ କରାଯାଉଛି । ଏହାର ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଛି । ସରକାରଙ୍କ ଏପରି ନିଷ୍ପତ୍ତିରେ ବୁଦ୍ଧିଜୀବୀମାନେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଏହାଦ୍ୱାରା ସାଧାରଣ ଲୋକ ସୁପର ସ୍ପେସିଆଲିଷ୍ଟ୍ ଚିକିତ୍ସା ନିମନ୍ତେ ଘରୋଇ ଡ଼ାକ୍ତରଖାନାରେ ହେଉଥିବା ମୋଟା ଅଙ୍କର ଖର୍ଚ୍ଚରୁ ରକ୍ଷା ପାଇବେ ।





