ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଏବେ ବିନା ଅନୁମତିରେ ତାମିଲନାଡୁରେ ଯାଞ୍ଚ କରିପାରିବ ନାହିଁ । ଇଡି ଦ୍ୱାରା ରାଜ୍ୟର ଶକ୍ତି ମନ୍ତ୍ରୀଙ୍କ ଗିରଫଦାରୀ ମଧ୍ୟରେ ଷ୍ଟାଲିନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତାମିଲନାଡୁ ସରକାର ବୁଧବାର ସିବିଆଇକୁ ଦିଆଯାଇଥିବା ଜେନେରାଲ କନସେଣ୍ଟ (ସାଧାରଣ ସହମତି)କୁ ଫେରାଇ ନେଇଛନ୍ତି ।
ଏଣିକି ରାଜ୍ୟରେ କୌଣସି ତଦନ୍ତ ପାଇଁ ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏପରି କରିବାରେ ତାମିଲନାଡୁ ଦେଶର ଦଶମ ରାଜ୍ୟ ହୋଇଛି । ଏହା ପୂର୍ବରୁ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ, ମିଜୋରାମ, ପଞ୍ଜାବ ଏବଂ ତେଲଙ୍ଗାନା ମଧ୍ୟ ସିବିଆଇକୁ ଦିଆଯାଇଥିବା ଜେନେରାଲ କନସେଣ୍ଟକୁ ଫେରାଇ ନେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ସିବିଆଇ ଦିଲ୍ଲୀର ସ୍ୱତନ୍ତ୍ର ପୋଲିସ ପ୍ରତିଷ୍ଠାନ ଅଧିନିୟମ (ଡିପିଏସଇଏ) ଅଧିନରେ ଆସୁଛି । ଏହି ଆଇନ ଅନୁସାରେ, ସିବିଆଇ ଦିଲ୍ଲୀ ପୋଲିସର ଏକ ବିଶେଷ ଶାଖା ଅଟେ । ଏପରି ଭାବେ ଏହାର ମୂଳ ଅଧିକାର କ୍ଷେତ୍ର ଦିଲ୍ଲୀ ଭିତରେ ସୀମିତ ରହିଛି । ଅନ୍ୟ ମାମଲାର ତଦନ୍ତ ପାଇଁ ସିବିଆଇକୁ ସମ୍ପୃକ୍ତ ରାଜ୍ୟଠାରୁ ସହମତି ଜରୁରୀ ହୋଇଥାଏ ।
ଡିସିଏସଇ ଅଧିନିୟମ ଅନୁସାରେ, କେନ୍ଦ୍ର ସରକାର କୌଣସି ରାଜ୍ୟରେ କୌଣସି ମାମଲାର ତଦନ୍ତ ପାଇଁ ସିବିଆଇକୁ ଅଧିକାର ଦେଇପାରିବେ, କିନ୍ତୁ ସିବିଆଇ କେବଳ ସମ୍ୱିନ୍ଧିତ ରାଜ୍ୟ ସରକାରଙ୍କ ସହମତିରେ ହିଁ ତଦନ୍ତ ଆରମ୍ଭ କରାପାରିବେ । କିନ୍ତୁ ସର୍ବୋଚ୍ଚ ଅଦାଲତ ଏବଂ ହାଇକୋର୍ଟ ଯେକୌଣସି ରାଜ୍ୟର ବିନା ସହମତିରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ ।
ତାମିଲନାଡୁ ସରକାର ସାଧାରଣ ସହମତି ଫେରାଇ ନେବା ପରେ ମଧ୍ୟ ସିବିଆଇ ପୁରୁଣା ମାମଲାର ତଦନ୍ତ ସେପର୍ଯ୍ୟନ୍ତ ଜାରି ରଖିବ ଯେପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ବିଶେଷ ରୂପେ ସହମତି ଫେରାଇ ନିଆଆଯାଇ ନାହିଁ । ଏହାସହ ସେହି ସବୁ ମାମଲାର ମଧ୍ୟ ତଦନ୍ତ ଜାରି ରହିବ ଯାହାର ନିର୍ଦ୍ଦେଶ କୋର୍ଟ ଦେଇଛନ୍ତି ।





