ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିଛନ୍ତି ।
କେଜ୍ରିୱାଲ ଏକ ଟ୍ୱିଟ୍ କରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ମୁଁ ସୂଚନା ପାଇଛି ଯେ ସିବିଆଇର ଅଧିକାଂଶ ଅଧିକାରୀ ସିସୋଦିଆଙ୍କ ଗିରଫଦାରୀ ବିରୋଧରେ ଥିଲେ, କାରଣ ସେମାନେ ସମସ୍ତେ ତାଙ୍କୁ ବହୁତ ସମ୍ମାନ କରନ୍ତି ଏବଂ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ । କିନ୍ତୁ ତାଙ୍କୁ ଗିରଫ କରିବା ପାଇଁ ରାଜନୈତିକ ଚାପ ଏତେ ଅଧିକ ଥିଲା ଯେ ତାଙ୍କୁ ନିଜର ରାଜନୈତିକ ଗୁରୁଙ୍କ କଥା ମାନିବାକୁ ପଡ଼ିଥିଲା ।
କେଜ୍ରିଓ୍ଵାଲ ରବିବାର ଦିନ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ଲୋକମାନେ ଏହାର ଜବାବ ଦେବେ, କାରଣ ସେମାନେ ଦେଖୁଛନ୍ତି ଯେ କିପରି ଦେଶପ୍ରେମୀ ଏବଂ ସଚ୍ଚୋଟ ଲୋକଙ୍କୁ ଜେଲ୍ ପଠାଯାଉଛି ଏବଂ ଦେଶର ବ୍ୟାଙ୍କଲୁଟ୍ କରୁଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ।
ଏହାର ଜବାବରେ ବିଜେପି ନେତା ମନୋଜ ତିୱାରୀ କହିଛନ୍ତି ଯେ “କେଜ୍ରିଓ୍ବାଲ ମିଛ ଖବର ପ୍ରସାର କରୁଛନ୍ତି । ଗୁଜରାଟରେ ମଧ୍ୟ ଆପଣ ଆଇବି ବିରୋଧରେ ଏଭଳି ମିଥ୍ୟା ଖବର ପ୍ରଚାର କରିଥିଲେ । ବର୍ତ୍ତମାନ ସମସ୍ତେ ଜାଣନ୍ତି ଯେ ଆପଣ ଯାହା ଲେଖୁଛନ୍ତି ଏବଂ କହୁଛନ୍ତି ତାହା ମନଗଢ଼ା । ଆଇନ କାମ କରିବାକୁ ଦିଅ, ମଦ ମନ୍ତ୍ରୀଙ୍କ ମଦ ଦୁର୍ନୀତିର ତଦନ୍ତ ଖୁବ୍ ଶୀଘ୍ର ଆହୁରି ବଢିବ, ଏହା ଆପଣଙ୍କର ଭୟ ମଧ୍ୟ, ନୁହେଁ କି?”
ସୂଚନାଯୋଗ୍ୟ ଯେ, ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ରବିବାର ସିବିଆଇରେ ହାଜର ହୋଇଥିଲେ ସିସୋଦିଆ। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି ବୋଲି କହିଛି। ସିବିଆଇ ଏହି ମାମଲାରେ ପୂର୍ବରୁ ଗତବର୍ଷ ଅକ୍ଟୋବର ୧୭ରେ ସିସୋଦିଆଙ୍କୁ ଯେଉଁ ପ୍ରଶ୍ନ କରିଥିଲା ସେହି ସମାନ ପ୍ରଶ୍ନ ଗତକାଲି ମଧ୍ୟ କରିଥିଲା। ହେଲେ ସିସୋଦିଆ ଏହାର ଉତ୍ତର ଏଡାଇ ଦେଇଥିଲେ ବୋଲି ସୂଚନା ରହିଛି। ସେହିପରି ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ପ୍ରମାଣ ଯୋଗାଡ଼ କରାଯାଇଛି। ତେଣୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି।





