ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ସିବିଏସ୍ଇ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବ । ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅନୁସାରେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ଓଡ଼ିଆରେ ପଢ଼ାଯିବ । ଦେଶରେ ୨୨ଟି ଆଞ୍ଚଳିକ ଭାଷାରେ ସିବିଏସ୍ଇ ପାଠ୍ୟକ୍ରମ ଉପଲବ୍ଧ ହେବ । ଏନେଇ ଏନସିଇଆରଟିକୁ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବା ସହ ପରୀକ୍ଷା କରିବାକୁ ପ୍ରସ୍ତୁତି ମଧ୍ୟ ଚାଲିଛି ।ଆଞ୍ଚଳିକ ଭାଷାରେ ପାଠପଢ଼ା ନେଇ କାଲି ସିବିଏସଇ ସର୍କୁଲାର ଜାରି କରିଛି । ଛାତ୍ରଛାତ୍ରୀ ଇଂରାଜୀ, ହିନ୍ଦୀ ମିଡିୟମ ସହ ଓଡ଼ିଆରେ ବି ପଢ଼ି ପାରିବେ । ଯେଉଁ ପିଲାମାନେ ଓଡ଼ିଆରେ ପଢ଼ିବାକୁ ଚାହିଁବେ ସ୍କୁଲ ବ୍ୟବସ୍ଥା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ଦ୍ୱାରା ପିଲାମାନେ ସହଜରେ ପାଠକୁ ବୁଝିବେ । ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଯିବ ବୋଲି କେନ୍ଦ ଶିକ୍ଷାମନ୍ତ୍ରୀ କହିଛନ୍ତି ।





