ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ସେବା ବିଲ ପରେ ଏବେ ସଂସଦରେ କେନ୍ଦ୍ର ସରକାର ଆଗତ କରିଛନ୍ତି ଆଉ ଏକ ବିବାଦୀୟ ବିଲ | ଦେଶର ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିକୁ ନେଇ ଆସିଥିବା ଏହି ବିଲ କୁ ବିରୋଧୀ ସମ୍ବିଧାନ ବିରୋଧୀ କହୁଥିବାବେଳେ ଏବେ ଏହାକୁ ପାରିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଆରମ୍ଭ କରିଛନ୍ତି | ବିଲ ପାରିତ କରିବାକୁ କେନ୍ଦ୍ର ସରକାରଙ୍କ ପାଖରେ ଲୋକସଭାରେ ସଂଖ୍ୟାଗରିଷ୍ଠତା ଥିବାବେଳେ ରାଜ୍ୟ ସଭାରେ ମ୍ୟାଜିକ ନମ୍ବର ନାହିଁ |
ସେପଟେ କିନ୍ତୁ ଆନ୍ଧ୍ର ପ୍ରଦେଶର YSR କଂଗ୍ରେସ ଏହି ବିଲରେ ମଧ୍ୟ ମୋଦି ସରକାରଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି | ଦଳର ରାଜ୍ୟସଭାରେ 9 ଜଣ ସାଂସଦ ଥିବାବେଳେ ଏନଡିଏ ଓ YSR କଂଗ୍ରେସ ସାଂସଦଙ୍କ ଭୋଟ ବଳରେ ଏହି ବିଲ ରାଜ୍ୟସଭାରେ ସହଜରେ ପାରିତ ହୋଇଯିବ | ଏଭଳି ସ୍ଥିତିରେ ସମସ୍ତଙ୍କ ନଜର ରହିଛି ବିଜୁ ଜନତା ଦଳ ଉପରେ | ପୂର୍ବରୁ ବହୁ ଚର୍ଚ୍ଚିତ ଦିଲ୍ଲୀ ସେବା ବିଲ ଓ ଅନାସ୍ଥା ପ୍ରସ୍ତାବରେ ବିଜେପି ସପକ୍ଷରେ ନିଷ୍ପତ୍ତି ନେଇ, ସମଦୂରତା କଥା କହୁଥିବା ବିଜେଡି ଚାରିଆଡୁ ସମାଲୋଚନାର ଶିକାର ହେବାପରେ ଏବେ କରିବ କଣ ? ପୂର୍ବଭଳି ଉପରେ ପଡି ସମର୍ଥନ ଦେବ ? ନା ଜାତୀୟ ରାଜନୀତିରେ ବିଗୁଡୁଥିବା ଛବି ପାଇଁ ଏଥିରୁ ଦୂରରେ ରହିବ ଏବେ ତାହାରି ଉପରେ ନଜର |
ତେବେ କେନ୍ଦ୍ର ସରକାର ଆଣିଥିବା ଏହି ବିଲ ଅନୁଯାୟୀ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯିବ। ଏହି କମିଟିରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ଲୋକସଭାର ବିରୋଧୀ ଦଳ ନେତା ରହିଥିଲେ |ହେଲେ ନୂଆ ବିଲ ଅନୁସାରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା(ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚୟନ କରିବେ । ପରେ ତାଙ୍କର ନାମ ସ୍ବୀକୃତ୍ତି ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।
ତେବେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ସମୟରେ କେନ୍ଦ୍ରର ଏପରି ପଦକ୍ଷେପ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମିତିକି ନିର୍ବାଚନରେ ସ୍ୱଚ୍ଛତା କେତେ ବଜାୟ ରହିବ ତାହା ଏବେ ଚିନ୍ତାର ବିଷୟ ବୋଲି ବିରୋଧୀ କହିଛନ୍ତି। ଏପରି ବିଲକୁ ଅସାମ୍ବିଧାନିକ ବୋଲି କହିବା ସହିତ ଏହାକୁ ବିରୋଧ କରିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି । ସେପଟେ ବିରୋଧୀ ମେଣ୍ଟରେ ନଥିବା ତେଲେଙ୍ଗାନାର ବିଆରଏସ ଓ ପଞ୍ଜାବର ଅକାଳୀ ଦଳ ମଧ୍ୟ ଏହି ବିଲ କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଏଭଳି ସ୍ଥିତିରେ ବିଜେଡି କଣ ନିଷ୍ପତ୍ତି ନେଉଛି ତାହାରି ଉପରେ ରହିଛି ସମସ୍ତଙ୍କ ନଜର |





