କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଧର୍ମେନ୍ଦ୍ରଙ୍କୁ ମିଳିପାରେ ସଂଗଠନ ଦାୟିତ୍ୱ, ମନ୍ତ୍ରୀ ରେସ୍ ରେ ଅପରାଜିତା !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): 2024 ସାଧାରଣ ନିର୍ବାଚନ ପୂର୍ବରୁ ଏବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି | ଆସନ୍ତା ଜୁଲାଇ 20 ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଛି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି | ବର୍ତ୍ତମାନ ମନ୍ତ୍ରୀ ଥିବା କିଛି ନେତାଙ୍କୁ କ୍ୟାବିନେଟରୁ ବାଦ ଦେଇ ଆଗାମୀ ନିର୍ବାଚନ ପାଇଁ ସଂଗଠନରେ ଗୁରୁ ଦାୟିତ୍ୱ ଦେବା ସହ କିଛି ନୂଆ ମୁହଁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବାକୁ ବିଜେପି ଶୀର୍ଷ ନେତୃତ୍ୱ ଏବେ ଅଙ୍କକଷା ଆରମ୍ଭ କରିଛନ୍ତି |

ତେବେ ଓଡିଶାରୁ ଦୁଇ ଜଣ କେନ୍ଦ୍ର ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବ ବୋଲି କୁହାଯାଉଛି | କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ଭାବେ ଜଣାଶୁଣା ଧର୍ମେନ୍ଦ୍ର ପ୍ରଧାନ ଏବେ ଶିକ୍ଷା ବିଭାଗର ମନ୍ତ୍ରୀ ଅଛନ୍ତି | ଦଳ କିନ୍ତୁ ଏବେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ଆଣି ସଙ୍ଗଠନରେ ଗୁରୁ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି | ଧର୍ମେନ୍ଦ୍ର ଗତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସଠିକ ଗୋଟି ଚାଳନା କରି ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇଥିଲେ | ଆଉ ଉତ୍ତରପ୍ରଦେଶରୁ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଲୋକସଭା ଆସନ ରହିଥିବାରୁ ଧର୍ମେନ୍ଦ୍ରଙ୍କୁ ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ସଂଗଠନର ମୁଖ୍ୟ ଭାବେ ଦାଇତ୍ୱ ଦିଆଯାଇପାରେ | ଏପରିକି ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ ସ୍ଥାନରେ ଧର୍ମେନ୍ଦ୍ରଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା କିନ୍ତୁ ନିର୍ବାଚନ ଅଳ୍ପ ଦିନ ରହିଥିବାରୁ ନଡ୍ଡାଙ୍କୁ ପରିବର୍ତ୍ତନ କରାଯାଇ ନଥିଲା | ସେପଟେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ସମସ୍ତ ରାଜ୍ୟସଭା ସଦସ୍ୟମାନଙ୍କୁ ଆସନ୍ତା 2024 ନିର୍ବାଚନରେ ପ୍ରତକ୍ଷ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହେବାକୁ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ପକ୍ଷରୁ ନିର୍ଦେଶ ଦିଆଯାଇଛି | ଏହି କ୍ରମରେ ବର୍ତ୍ତମାନ ମଧ୍ୟପ୍ରଦେଶରୁ ରାଜ୍ୟସଭାର ସଦସ୍ୟ ଥିବା ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଲୋକସଭା ଆସନରୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ି ପାରନ୍ତି ବୋଲି କୁହାଯାଉଛି |

ସେପଟେ ଓଡିଶାରୁ ରାଜ୍ୟସଭାକୁ ଯାଇ କେନ୍ଦ୍ରରେ ରେଳ ବିଭାଗର ମନ୍ତ୍ରୀଥିବା ଅଶ୍ବିନୀ ବୈଷ୍ଣବ ତାଙ୍କ ବିଭାଗ ହରାଇ ପାରନ୍ତି | ବାହାନଗା ରେଳ ଦୁର୍ଘଟଣାରେ 293 ଜଣଙ୍କ ଜୀବନ ଯିବାପରେ ବୈଷ୍ଣବଙ୍କ ପାଖରୁ ରେଳ ବିଭାଗ କାଢି ନିଆଯାଇପାରେ ବୋଲି କୁହାଯାଉଛି | ତେବେ ତାଙ୍କ ନିକଟରୁ କେବଳ ବିଭାଗ କାଢିନିଆଯିବ ନା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯିବ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ |

ସେପଟେ ଓଡିଶାରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଥିବା 2 ଜଣଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି | ପୂର୍ବରୁ କେନ୍ଦ୍ରରେ ମନ୍ତ୍ରୀ ଥିବା ସୁଦରଗଡ଼ର ସାଂସଦ ଜୁଏଲ ଓରାମଙ୍କୁ ପୁଣି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ | ସେ ଜଣେ ଆଦିବାସୀ ଚେହେରା ହୋଇଥିବାବେଳେ ପଶ୍ଚିମ ଓଡିଶାରୁ ଦଳର ସାଂସଦ ଅଛନ୍ତି | ପଶ୍ଚିମ ଓଡିଶାରୁ ଗତ ନିର୍ବାଚନରେ 5 ରୁ 5 ସାଂସଦ ବିଜେପି ଜିତିଥିବା ବେଳେ ଏବେ ସେଠାରୁ ଜଣେ ହେଲେ ବି ମନ୍ତ୍ରୀ ନାହାନ୍ତି | ତେଣୁ ଭୌଗଳିକ ଦୃଷ୍ଟିକୋଣରୁ ଓ ଜୁଏଲଙ୍କ ଅଭିଜ୍ଞାତା ଥିବାରୁ ତାଙ୍କୁ ପୁଣି ମନ୍ତ୍ରୀ ହେବାର ସୁଯୋଗ ମିଳିପାରେ | ସେପଟେ ଏଥର ନୂଆ ମୁହଁ ଭାବେ ନିଜ ମନ୍ତ୍ରୀମଣ୍ଡଳରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସ୍ଥାନ ଦେଇ ପାରନ୍ତି | ତେବେ ଅପରାଜିତାଙ୍କୁ ମନ୍ତ୍ରୀପଦ ମିଳିବ କି ନାହିଁ ତାହା ମନ୍ତ୍ରିମଣ୍ଡଳରେ ଖାଲି ହେବାକୁ ଥିବା ଆସନ ସଂଖ୍ୟା ଉପରେ ନିର୍ଭର କରେ |

ସୂଚନାଯୋଗ୍ୟ ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ 81 ଜଣ ସଦସ୍ୟ ସାମିଲ ହୋଇ ପାରିବେ | ଏବେ 78 ଜଣ କେନ୍ଦ୍ର ମନ୍ତ୍ରୀ ଥିବାବେଳେ 3 ଟି ଆସନ ଖାଲି ପଡିଛି |

Related Posts