ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଓଲା, ଉବର, ରାପିଡୋ ଆଦି ବାଇକ୍ ଟାକ୍ସି ଚଲାଯିବା ଉପରେ ସୁପ୍ରିମକୋର୍ଟ ସୋମବାର ବ୍ୟାନ୍ ଲଗାଇଛନ୍ତି । ଦିଲ୍ଲୀ ସରକାର ଟାକ୍ସି ଅପରେସନ ପଲିସି ନ ଆଣିବା ପର୍ଯ୍ୟନ୍ତ ବାଇକ୍ ଟାକ୍ସି ଚଳାଚଳ ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସେପଟେ ଆସନ୍ତା ଜୁନ୍ ୩୦ ସୁଦ୍ଧା ଏହି ନୀତି ଆଣିବେ ବୋଲି ଦିଲ୍ଲୀ ସରକାର କହିଛନ୍ତି ।
ପୂର୍ବରୁ ଦିଲ୍ଲୀ ସରକାର କହିଥିଲେ, ଯେ ପର୍ଯ୍ୟନ୍ତ ବାଇକ୍ ଟାକ୍ସି ପାଇଁ ନୀତି ପ୍ରଣୟନ କରା ନ ଯାଇଛି ସେ ପର୍ଯ୍ୟନ୍ତ ଦୁଇଚକିଆ ଟାକ୍ସି ସର୍ଭିସ ନ ଚଲାଯାଉ । ଏହା ବିରୋଧରେ ରାପିଡୋ, ଉବର ଭଳି କମ୍ପାନୀ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଦିଲ୍ଲୀ ସରକାରଙ୍କ ଏହି ନୋଟିସ୍ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ଏଥିସହ ପଲିସି ଫାଇନାଲ ନ ହେବା ପର୍ଯ୍ୟନ୍ତ ଟାକ୍ସି ଚଳାଚଳକୁ ଅନୁମତି ଦେଇଥିଲେ ।
ଏହାପରେ ଗତ ମେ ୨୬ରେ ଦିଲ୍ଲୀ ସରକାର ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏଗ୍ରିଗେଟର୍ସ ବିନା ଲାଇସେନ୍ସ ଏବଂ ପର୍ମିଟ୍ରେ ବାଇକ୍ ଟାକ୍ସି ଚଲାଉଛନ୍ତି । କେବଳ କମର୍ସିଆଲ ରେଜିଷ୍ଟ୍ରେଶନ ହୋଇଥିବା ଗାଡ଼ିଗୁଡ଼ିକୁ ହିଁ ଟାକ୍ସି ଭାବେ ବ୍ୟବହାର କରାଯାଇପାରିବ । କିନ୍ତୁ ବାଇକ୍ ଟାକ୍ସିଗୁଡ଼ିକର ପ୍ରାଇଭେଟ ରେଜିଷ୍ଟ୍ରେସନ ହେଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।





