ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଇତିହାସ ରଚିବା ଠାରୁ ମାତ୍ର କେଇ ପାଦ ଦୂରରେ ରହିଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଲାଗି ପ୍ରସ୍ତୁତ ରହିଛି । ଯାହା ଅଗଷ୍ଟ ୨୩ ସନ୍ଧ୍ୟାରେ ସଫ୍ଟ ଲାଣ୍ଡିଂ କରିବ । ଅବତରଣର ୨ ଦିନ ପୂର୍ବରୁ ଲ୍ୟାଣ୍ଡର, ଚନ୍ଦ୍ର ପୃଷ୍ଠର ଫଟୋ ପଠାଇଛି ।ଅବତରଣ ପୂର୍ବରୁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ହ୍ୟାଜାର୍ଡ ଡିଟେକ୍ସନ୍ ଆଣ୍ଡ ଆଡଭାନ୍ସଡ୍ କ୍ୟାମେରା ବ୍ୟବହାର କରି ଫଟୋ ଉଠାଇଛି । ଏହି ଫଟୋ ଚନ୍ଦ୍ରର ଦକ୍ଷିଣ ମେରୁରର ସେହି ସ୍ଥାନର, ଯେଉଁଠି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବ ।
ସୋସିଆଲ୍ ମିଡିଆରେ ଇସ୍ରୋ ଫଟୋ ସେୟାର କରି ଲେଖିଛି, ଏହା ଚନ୍ଦ୍ରର ସୁଦୂର କ୍ଷେତ୍ରର ଫଟୋ । ଯାହାକି ଲ୍ୟାଣ୍ଡର ପ୍ରତି ବିପଦ ଯାଞ୍ଚ ଓ ରକ୍ଷା କ୍ୟାମେରାରୁ ଉଠା ଯାଇଛି । ଏହି କ୍ୟାମେରା ଲାଣ୍ଡର ତଳକୁ ଓହ୍ଲାଇବା ବେଳେ ସୁରକ୍ଷିତ ଅବତରଣ ବେଳେ (ପଥର ଓ ଗାତ) ଚିହ୍ନଟ କରିବାରେ ସାହାଯ୍ୟ କରିବ । ଯାହାକୁ ସ୍ପେଶ୍ ଆପ୍ଲିକେସନ୍ ସେଣ୍ଟର, ଇସ୍ରୋ ବିକଶିତ କରିଛି ।
ଅଗଷ୍ଟ ୨୩ ସନ୍ଧ୍ୟା ପ୍ରାୟ ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଅବତରଣ କରିବାର ସମ୍ଭାବନା ରହିଛି । ସେଥିପାଇଁ ରବିବାର ଦ୍ୱିତୀୟ ତଥା ଶେଷ ଡିବୁଷ୍ଟିଂ କରାଯାଇଥିଲା । ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବା ସମୟରେ ତାର ଗତି ପ୍ରତି ସେକେଣ୍ଡ ପିଛା ୨ ମିଟର ପାଖାପାଖି ରହିବ । ଲ୍ୟାଣ୍ଡର ବିକ୍ରମ ୧୨ ଡିଗ୍ରୀ ଗଡ଼ାଣିଆରେ ଅବତରଣ କରି ପାରିବ । ଅବତରଣର ୫୦୦ ମିଟର ପୂର୍ବରୁ ଏହା ସକ୍ରିୟ ହୋଇଯିବ ।





