ଆଜି ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରୟାନ-୩, ଇତିହାସ ରଚିବ ଭାରତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଜି ଚନ୍ଦ୍ରରେ ଅବତରଣ କରିବ ଚନ୍ଦ୍ରୟାନ-୩ । ଏହି ମୁହୂର୍ତ୍ତକୁ ସାରା ଭାରତ ବର୍ଷ ଉତ୍କଣ୍ଠାର ସହ ଅପେକ୍ଷା କରିଛି। ଇସ୍ରୋର ଚନ୍ଦ୍ରୟାନ-୩ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ। ପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରରେ ଅବତରଣ କରିଥିଲେ ମଧ୍ୟ କୌଣସି ଦେଶ ଏପର୍ଯ୍ୟନ୍ତ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରି ନାହାନ୍ତି। ତେଣୁ ଭାରତର ମିଶନ ମୁନ ଉପରେ ଏବେ ସାରା ବିଶ୍ଵ ନଜର ରଖିଛି।

ଇସ୍ରୋର ସୂଚନା ଅନୁସାରେ ଯଦି ସବୁ ପ୍ରକ୍ରିୟା ଠିକ୍‌ଠାକ୍ ରୁହେ ତେବେ ଚନ୍ଦ୍ରୟାନ-୩ର ଅବତରଣ ପ୍ରକ୍ରିୟା ଆଜି ସନ୍ଧ୍ୟା ୫ଟା ୪୫ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪ରେ ଏହା ଚନ୍ଦ୍ରପୃଷ୍ଠକୁ ଛୁଇଁବ। ତେବେ ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ।ଯଦି ସେଥିରେ କିଛି ସମସ୍ୟା ଦେଖାଦିଏ ତେବେ ଚନ୍ଦ୍ରୟାନ- ୩ର ଅବତରଣକୁ ସ୍ଥଗିତ କରାଯାଇ ଏହି ପ୍ରକ୍ରିୟାକୁ ଆସନ୍ତା ୨୭ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।

ତେବେ ବୈଜ୍ଞାନିକ ଦିଗକୁ ଦେଖିଲେ ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଲ୍ୟାଣ୍ଡ କରିବା ପରେ ଏହାର ଲ୍ୟାଣ୍ଡର୍‌ରେ ଲାଗିଥିବା ୩ଟି ପେ’ଲୋଡ୍ ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରିବ । ସେହିପରି ରୋଭରରେ ଲାଗିଥିବା ୨ଟି ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ରାସାୟନିକ ଓ ଖଣିଜ ସଂରଚନା ଯାଞ୍ଚ କରିବା ସହିତ, ସେଠାରେ ଥିବା ମାଟି ଓ ପଥରର ମୌଳିକ ଗଠନ ପରଖିବ । ରୋଭର୍ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡର୍‌କୁ ପଠାଇବ ଏବଂ ଲ୍ୟାଣ୍ଡର୍‌ ନିଜର ଓ ରୋଭରର ତଥ୍ୟକୁ ଚନ୍ଦ୍ରୟାନର ଅର୍ବିଟର୍ ମାଧ୍ୟମରେ ଇସ୍ରୋକୁ ପ୍ରେରଣ କରିବ, ଯାହା ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ବଡ ସଫଳତା ଦେବ।

ଚନ୍ଦ୍ରୟାନ-୩ ର ଅବତରଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ଏବେ ସାରା ଦେଶ ଏହାର ସଫଳତା ପାଇଁ ପ୍ରାର୍ଥନା କରୁଛି। ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି। ସେପଟେ ଏବେ ବ୍ରିକ୍ସ ସମ୍ମିଳନୀ ପାଇଁ ଜୋହାନ୍ସବର୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ ବୋଲି ସୂଚନା ମିଳିଛି।

Related Posts