କୋଣାର୍କ: ବଦଳିବ ଚନ୍ଦ୍ରଭାଗାର ରୂପ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ଇକୋ ରିଟ୍ରିଟ ଆଡକୁ ଏକ କିମି ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ହେବ । ଏନେଇ ୪୬ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ଖୁବଶୀଘ୍ର ଉଚ୍ଛେଦ ଆରମ୍ଭ ହେବ । କୋଣାର୍କ ଏନଏସି ପକ୍ଷରୁ ୯୯ ବର୍ଷ ପାଇଁ ଲିଜ ସୁତ୍ରରେ ଯୋଗାଇ ଦିଆଯାଇଥିବା ୨୪ଟି ବ୍ୟବସାୟ ଗୃହକୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପାଇଁ ସ୍ଥିର ହୋଇଛି ।
ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
ଚନ୍ଦ୍ରଭାଗା ସମୁଦ୍ର କୂଳରେ ଥିବା ପ୍ରାୟ ୭୦ ଗୋଟି ଅସ୍ଥାୟୀ ହସ୍ତଶିଳ୍ପ ବ୍ୟବସାୟ ଦୋକାନ ଓ ୨୪ଟି ସ୍ଥାୟୀ ଦୋକାନ ଗୁଡିକୁ ଉଚ୍ଛେଦ କରାଯିବ। ଉଚ୍ଛେଦ ବ୍ୟବସାୟୀଙ୍କୁ ଜୟଦେବ ବଟିକା ନିକଟରେ ଜମି ଯୋଗାଇ ଦିଆଯିବ । ଅସ୍ଥାୟୀ ବ୍ୟବସାୟୀଙ୍କୁ ଭେଣ୍ଡିଂ ଜୋନ ମାଧ୍ୟମରେ ଯୋଗାଇ ଦିଆଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେହିଭଳି ସ୍ଥାୟୀ ୨୪ ଦୋକାନୀଙ୍କୁ ଜୟଦେବ ବାଟିକା ପାଚେରୀକୁ ଲଗାଇ ସମ ପରିମାଣର ଜମି ଯୋଗାଇ ଦିଆଯିବ । ଅସ୍ଥାୟୀ ବ୍ୟବସାୟୀଙ୍କୁ ସ୍ଥାନାନ୍ତରିତ କରିବା ନିମନ୍ତେ ୩୫୦୦୦ ଟଙ୍କା ହିସାବରେ ପ୍ରାୟ ୨୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କ୍ଷୟକ୍ଷତି ଯୋଗାଇ ଦିଆଯିବ ଓ ୨୪ଟି ପକ୍କା ଗୃହ ପାଇଁ ସରକାରୀ ନୀତିନିୟମ ଅନୁଯାୟୀ କ୍ଷତିପୂରଣ ବାବଦରେ ୨୪ ଜଣକୁ ୩ କୋଟି ୬୮ ଲକ୍ଷ ଦେବା ନିମନ୍ତେ ସ୍ଥିର ହୋଇଥିବା ଜଣାପଡିଛି ।
ଜୟଦେବ ବାଟିକାକୁ ଲଗାଇ ରାଜସ୍ୱ ବିଭାଗ ଅଧୀନରେ ଥିବା କୋଣାର୍କ ମୌଜାର ଖାତା ନମ୍ବର-୨୯୮ ପ୍ଲଟ ନମ୍ବର-୧୬୫୯ ସମୁଦାୟ ୪୧.୯୦ ଏକରରୁ ୧ ଏକରରେ ଏହି ମାର୍କେଟ କମ୍ପେ୍ଲକ୍ସ “ଏଲ’ ଆକାରରେ ନିର୍ମାଣ ହେବ । ଏଥିରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ପଦାଚଲା ରାସ୍ତା, ସିଟିଂ ବେଞ୍ଚ, ପାର୍କିଂ ସ୍ଥଳ, ଫୁଡ ପ୍ଲାଜା, ସୁରକ୍ଷା ବ୍ୟବସ୍ଥା ଆଦି ଅନେକ କାର୍ଯ୍ୟ କରାଯିବାକୁ ସ୍ଥିର ହୋଇଛି ।





