ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ସୋମବାର ଛତିଶଗଡ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ତେବେ ଚଳିତ ବଜେଟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ୧୮ ରୁ ୩୫ ବର୍ଷ ବୟସର ବେକାର ଯୁବକ,ଯାହାଙ୍କ ପରିବାରର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ତାଙ୍କୁ ୨୫୦୦ ଟଙ୍କା ଭତ୍ତା ଦେବାର ଘୋଷଣା କରିଛନ୍ତି। ଏହା ସହିତ ଅଙ୍ଗନୱାଡି କର୍ମଚାରୀଙ୍କ ଭତ୍ତାକୁ ୬,୫୦୦ରୁ ୧୦,୦୦୦ କୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏଥିସହିତ ଅଙ୍ଗନୱାଡି ସହାୟକଙ୍କ ଭତ୍ତା ୩,୫୫୦ ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ ମଧ୍ୟ ରାୟପୁରର ଡକ୍ଟର ବିଆର ଆମ୍ବେଦକର ମେମୋରିଆଲ ହସପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ ଭବନର ବିକାଶ ପାଇଁ ୮୫ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ମେଡିକାଲ୍ ୟୁନିଟ୍ ପ୍ରତିଷ୍ଠା ପାଇଁ ବଜେଟରେ ୫ କୋଟି ଟଙ୍କା ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି ରାଜ୍ୟ ବଜେଟ୍ ୨୦୨୩ର ବ୍ରିଫକେସ୍ ନେଇ ବିଧାନସଭାରେ ପହଞ୍ଚିଥିଲେ। ଏହାପରେ ସେ ବଜେଟ୍ ଆଗତ କରିଥିଲେ। ତେବେ ଚଳିତ ବର୍ଷ ଶେଷ ଆଡ଼କୁ ଛତିଶଗଡ ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ଏଥିରେ ବଘେଲ ସରକାରଙ୍କ ପକ୍ଷରୁ ବଡ ବଡ଼ ଘୋଷଣା କରାଯାଇଛି।





