ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ ।ନିର୍ବାଚନରେ ଜାଲିଆତି କରିଥିବାରୁ ଗିରଫ କରାଯାଉ ବୋଲି କର୍ଣ୍ଣାଟକ କଂଗ୍ରେସ ଦାବି କରିଛି।
କର୍ଣ୍ଣାଟକ କଂଗ୍ରେସ କହିଛି, ଘରକୁ ଘର ବୁଲି ଭୋଟର୍ ସୂଚନା ସଂଗ୍ରହ କରିବା ଲାଗି ଗୋଟାଏ ଘରୋଇ ସଂସ୍ଥାନକୁ କାମ ଦେଇ ପ୍ରତ୍ୟକ୍ଷ ଭାବେ ନିର୍ବାଚନୀ ଦୁର୍ନୀତି କରିଥିବାରୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଇସ୍ତଫା ଦେବା ଉଚିତ।
କଂଗ୍ରେସର ସାଧାରଣ ସଚିବ ତଥା ଦଳର କର୍ଣ୍ଣାଟକ କାର୍ଯ୍ୟନିର୍ବାହୀ ରଣଦୀପ ସିଂହ ସୂର୍ଯ୍ୟେୱାଲା ବେଙ୍ଗାଲୁରୁରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାଗଣାରେ ଘର ଘର ବୁଲି ଭୋଟର୍ ସର୍ଭେ କରିବା ଲାଗି ଅଗଷ୍ଟ ମାସରେ ‘ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକେ’ ଗୋଟାଏ ଘରୋଇ ସଂସ୍ଥାନକୁ କ୍ଷମତା ଦେଇଥିଲା। ଉକ୍ତ ସଂସ୍ଥା ଭୋଟର୍ମାନଙ୍କର ଲିଙ୍ଗ, ମାତୃଭାଷା ବିଷୟରେ ସୂଚନା ଏକତ୍ର କରିବା ସହିତ ସେମାନଙ୍କର ଭୋଟ୍ ପରିଚୟ ପତ୍ର ଓ ଆଧାର କାର୍ଡର ବିବରଣ ମଧ୍ୟ ସଂଗ୍ରହ କରିଥିଲେ।
ସେ ପୁଣି କହିଛନ୍ତି, ଏହି ନିର୍ବାଚନୀ ଜାଲିଆତିରେ ମୁଖ୍ୟମନ୍ତ୍ରୀ ମାଧ୍ୟମ ହୋଇଥିବାରୁ ତାଙ୍କ ନାମରେ ‘ଏଫ୍ଆଇଆର୍’ ଦିଆଯାଇ ତାଙ୍କୁ ଗିରଫ କରାଇବା ଉଚିତ। ସଂଗୃହୀତ ଡାଟା ସବୁକୁ ସରକାରଙ୍କ ‘ଗରୁଡ଼ ଆପ୍ଲିକେସନ୍’ରେ ଫିଡ୍ କରା ନ ଯାଇ ଉକ୍ତ ଘରୋଇ ସଂସ୍ଥାନର ‘ଡିଜିଟାଲ୍ ସମୀକ୍ଷା ଆପ୍ଲିକେସନ୍’ରେ ଫିଡ୍ କରାଯାଇଥିଲା।
ସେ ଅଭିଯୋଗ କରିଛନ୍ତି, ଉକ୍ତ ଫାର୍ମ ମଧ୍ୟ ଅନେକ ‘ବୁଥ୍ ସ୍ତରୀୟ ଅଫିସର୍’ ନିଯୁକ୍ତି କରିଥିଲା। କିନ୍ତୁ, ନିୟମାନୁସାରେ, ଉକ୍ତ ଅଧିକାରୀମାନେ ସରକାରଙ୍କଦ୍ବାରା ନିଯୁକ୍ତ ହେବା କଥା। ଏହାଛଡ଼ା, ସେମାନଙ୍କୁ ଯେଉଁ ପରିଚୟ ପତ୍ର ମିଳିଥିଲା, ସେଥିରୁ ଜଣାପଡୁଥିଲା ସତେ ଅବା ସେମାନେ ଜଣେ ଜଣେ ସରକାରୀ ଅଧିକାରୀ।





