ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱର ପାଳନ କରୁଛି ପ୍ରତିଷ୍ଠା ଦିବସ । ୭୪ ବର୍ଷ ବୟସରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ଏନେଇ ବେଶ ଧୁମ ଧାମରେ ନିଜ ଜନ୍ମ ଦିନକୁ ପାଳନ କରୁଛି ରାଜଧନୀ | ଚାରିଆଡେ ଉତ୍ସବ ର ମାହୋଲ | ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର । ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଐତିହ୍ୟ ସହର ଭାବେ ପରିଚିତ ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ । ରୋଜଗାର ପାଇଁ ବି ଅନେକ ଲୋକଙ୍କ ପ୍ରଥମ ଚଏସ ପାଲଟିଛି ଭୁବନେଶ୍ୱର। ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ।

ବିକାଶ ବହୁତ ଆଗକୁ ଯାଇଛି । ତଥାପି ଅନେକ ସମସ୍ୟା ଭିତରେ ଅଛନ୍ତି ସ୍ମାର୍ଟ ସିଟିବାସୀ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବାଠାରୁ କ୍ରୀଡ଼ା କ୍ଷେତ୍ରରେ ରୂପାନ୍ତରଣ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଦେଶର ପ୍ରମୁଖ ସ୍ମାର୍ଟସିଟିରେ ପରିଣତ କରିଛି । ଆସନ୍ତୁ ଭୁବନେଶ୍ୱରକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବାକୁ ସମସ୍ତେ ଏକ ହୋଇ କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି

ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ହେଲେ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ଖୋଦ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିନି କୌଣସି ନିମନ୍ତ୍ରଣ । ଏହାକୁ ନେଇ ସାଂସଦ ଅସନ୍ତୋଷ ଝାଡ଼ିବା ସହ ତାଙ୍କ ଭୁଲ୍‌ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।

ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହାର ନିମନ୍ତ୍ରଣ ପତ୍ର “ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର” ଦ୍ୱାରା ପ୍ରସ୍ତୁତ କରାଯାଇଛି । ମାତ୍ର ଉକ୍ତ ନିମନ୍ତ୍ରଣପତ୍ରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ । ଯାହାକୁ ନେଇ ତେଜିଛି ରାଜନୀତି। ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି ନିଜ ଅସନ୍ତୋଷ ଝାଡ଼ିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ଏଥିସହ କହିଛନ୍ତି, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି । ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗଦେବାକୁ ଚାହୁଁଥିଲି । ମୋତେ କାହିଁକି ନିମନ୍ତ୍ରଣ କରାଗଲାନି, ମୋର ଦୋଷ କଣ ବୋଲି ପ୍ରଶ୍ନ କରିଛନ୍ତି |

Related Posts