ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ନେଇ ଆଲୋଚନା

ଭୁବନେଶ୍ୱର,୧୧/୫(ସତ୍ୟପାଠ ବ୍ୟୁରୋ): ୪ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ ଗଣମାଧ୍ୟମକୁ କହିଛନ୍ତି ଯେ, ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ବିଶେଷ କରି ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି । ତେଣୁ ପୁରୀରେ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ଆଲୋଚନା କରାଯାଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବା ନବୀନ କହିଛନ୍ତି।

ସେହିପରି ଭାରତ ନେଟ ଫେଜ-୨ରେ ଓଡିଶାକୁ ସାମିଲ କରିବାକୁ ନବୀନ ଦାବି କରିଛନ୍ତି। ଓଡିଶାରେ ଅସମ୍ପୂର୍ଣ୍ଣ ଥିବା ଜାତୀୟ ରାଜପଥଗୁଡିକୁ ସମ୍ପୂର୍ଣ୍ଣ କରିବା ସହ ଓଡିଶାର ପଞ୍ଚାୟତ ସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ସ୍ଥାପନ ପାଇଁ ଦାବି କରିଛନ୍ତି । ବର୍ତ୍ତମାନ ଓଡିଶାର ୬୭୯୮ ପଞ୍ଚାୟତ ମଧ୍ୟରୁ ୨୮୪୪ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଅଛି । ଅନ୍ୟ ପଞ୍ଚାୟତଗୁଡ଼ିକୁ ବ୍ୟାଙ୍କ ସେବାରେ ସାମିଲ ପାଇଁ ନବୀନ ମୋଦୀଙ୍କ ନିକଟରେ ଦାବି କରିଛନ୍ତି।

ସେହିପରି ଏହି ସାକ୍ଷାତକାର ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ ବାବଦରେ ଆଲୋଚନା ହୋଇନି ବୋଲି ନବୀନ କହିଛନ୍ତି। କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନଙ୍କୁ ସାକ୍ଷାତ କରିଥିଲେ । ଆଉ ଏହାକୁ ନେଇ ସାମ୍ବାଦିକମାନେ ନବୀନଙ୍କୁ ପ୍ରଶ୍ନ କରିଥିଲେ ଯେ ତୃତୀୟ ସାମ୍ମୁଖ୍ୟ ନେଇ କୌଣସି ଆଲୋଚନା ହୋଇଛି କି? ଏହାର ଉତ୍ତରରେ ନବୀନ କହିଥିଲେ ଯେ, କୌଣସି ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇନାହିଁ । ଏଥିସହ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ସେ କୌଣସି ସମ୍ଭାବନା ଦେଖୁନାହାନ୍ତି ବୋଲି ନବୀନ କହିଛନ୍ତି।

Related Posts