ବିଧାନସଭାରେ ସାଂଘାତିକ ତଥ୍ୟ ଦେଲେ ମୁଖ୍ୟମନ୍ତ୍ରୀ :ରାଜ୍ୟରେ ବଢୁଛି ନିଖୋଜ ଶିଶୁଙ୍କ ସଂଖ୍ୟା,କଟକରେ ବଢ଼ୁଛି ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକକୁ ଆବର୍ତ୍ତ କରିଥିବା କମିଶନରେଟ୍ ପୋଲିସ୍‌ ଅଞ୍ଚଳରେ ଅପରାଧ ଚିତ୍ର ନେଇ ଉଠିଛି ଗଭୀର ଚିନ୍ତା। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ରଖିଛନ୍ତି ସାଂଘାତିକ ତଥ୍ୟ। ଗତ ଦୁଇ ବର୍ଷରେ ହତ୍ୟା ଓ ନିଖୋଜ ଶିଶୁ ମାମଲାରେ ଚିନ୍ତାଜନକ ପରିବର୍ତ୍ତନ ଦେଖାଦେଇଛି।ତଥ୍ୟ ଅନୁସାରେ, କଟକ ସହରରେ ୨୦୨୪ ମସିହାରେ ୨୧ଟି ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୦୨୫ରେ ଏହା ବଢ଼ି ୨୪କୁ ପହଞ୍ଚିଛି। ଅନ୍ୟପଟେ ଭୁବନେଶ୍ୱରରେ ୨୦୨୪ରେ ୪୩ଟି ହତ୍ୟା ମାମଲା ରହିଥିଲା, ଯାହା ୨୦୨୫ରେ କମି ୩୩ ହୋଇଛି। ତେବେ ଏହି କମିବା ସତ୍ତ୍ୱେ ମୋଟ ସଂଖ୍ୟା ଏବେ ମଧ୍ୟ ଉଚ୍ଚ ରହିଥିବାରୁ ଚିନ୍ତା ବଢ଼ୁଛି।ଏହାଠାରୁ ଅଧିକ ଗଭୀର ଚିନ୍ତାର ବିଷୟ ହେଉଛି ନିଖୋଜ ଶିଶୁଙ୍କ ସଂଖ୍ୟା। ୨୦୨୪ରେ ରାଜ୍ୟରେ ୬,୮୩୮ ଶିଶୁ ନିଖୋଜ ହୋଇଥିଲେ, ଯାହାରୁ ୫,୯୪୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। କିନ୍ତୁ ୨୦୨୫ରେ ଏହି ସଂଖ୍ୟା ହଠାତ୍ ବଢ଼ି ୮,୨୦୬କୁ ପହଞ୍ଚିଛି। ତଥାପି ଉଦ୍ଧାର ସଂଖ୍ୟା ୬,୦୩୬ରେ ସୀମିତ ରହିଥିବାରୁ ହଜାର ହଜାର ଶିଶୁ ଏବେ ମଧ୍ୟ ଅନୁଧାନରେ ରହିଛନ୍ତି।ଏହି ପରିସ୍ଥିତି ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ବିଶେଷକରି ନିଖୋଜ ଶିଶୁ ସଂଖ୍ୟା ଘଟଣାର ବୃଦ୍ଧି ମାନବ ତସକରୀ ଓ ସାମାଜିକ ସୁରକ୍ଷା ନେଇ ଗୁରୁତର ସନ୍ଦେହ ସୃଷ୍ଟି କରୁଛି।ପୋଲିସ୍‌ ପକ୍ଷରୁ ସଂଗୀନ ଅପରାଧ ମାମଲା ସମ୍ପର୍କିତ ତଥ୍ୟ ସଂଗ୍ରହ ଚାଲିଥିବା ବେଳେ, ସାଧାରଣ ଲୋକଙ୍କ ମନରେ ଭୟ ଓ ସୁରକ୍ଷାର ଭାବନା ବଢ଼ିବାରୁ ସରକାରଙ୍କ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ଉଠିଛି।

Related Posts