ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ୨ ଦିନ ଧରି ଡ୍ରାଇଭର ସଂଘର ଆନ୍ଦୋଳନ ଜାରି ରହିଛି। ବସ୍ ଚଳାଚଳ ବନ୍ଦ ଥିବାରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ବରମୁଣ୍ଡାରୁ ଆରମ୍ଭ କରି କଟକ ବାଦାମ ବାଡ଼ି ବସ୍ ଷ୍ଟାଣ୍ଡରେ ଖାଁ ଖାଁ ସ୍ଥିତି ଉପୁଜିଛି । ଡ୍ରାଇଭର ମାନେ ନିଜ ଜିଦ୍ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି ।
ତେବେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକମାନେ ହଇରାଣ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁ ମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି । ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି । କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁ ମାନେ ଦଣ୍ଡବତ ଯାତ୍ରା କରିଥିଲେ ।
ଡ୍ରାଇଭର ବନ୍ଧୁ ମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ଏମାନେ ସମାଜରେ ଅସ୍ପୁର୍ଶ୍ୟ ନୁହଁନ୍ତି । ସେମାନେ ଆମ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁ ମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।





