ପାରାଦୀପ, ରବିବାର:ପାରାଦୀପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ ଦିନରେ ନିର୍ବାହ ହେବାକୁ ଥିବା ବୃହତ୍ ଶିଳ୍ପ ପ୍ରତିଷ୍ଠା ଓ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ସେ ପାରାଦୀପକୁ ଭାରତର ଏକ ବଡ ଇକୋନୋମିକ ଜୋନ ଭାବେ ଗଢ଼ିବା ଦୃଷ୍ଟିକୋଣରୁ ଅଞ୍ଚଳରେ ସ୍ଥାପିତ ହେବାକୁ ଥିବା ସମସ୍ତ ଶିଳ୍ପ ପ୍ରକଳ୍ପ ତୁରନ୍ତ ଆରମ୍ଭ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବୈଠକରେ ପାରାଦୀପ ପୋର୍ଟର ସମ୍ପ୍ରସାରଣ, ଜାହାଜ ନିର୍ମାଣ ଓ ମରାମତି କାରଖାନା, ବନ୍ଦର ବିକାଶ, IOCL ଓ JSW ପକ୍ଷରୁ ଶିଳ୍ପାନୁଷ୍ଠାନ ବିକାଶ ସହିତ ବୃହତ୍ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ ରିଜନର ଏହି ପ୍ରକଳ୍ପଗୁଡିକର ଭୂମି ଅଧିଗ୍ରହଣ, ନିର୍ବାହ ଏବଂ ଅନୁମୋଦନ ପ୍ରକ୍ରିୟାରେ ଗତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ସମସ୍ତ ଶିଳ୍ପାନୁଷ୍ଠାନରେ ଓଡ଼ିଶାର ଯୁବପିଢୀ, ବିଶେଷକରି ସ୍ଥାନୀୟ ଯୁବକ-ଯୁବତୀଙ୍କୁ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ୟ ଦେଇଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଜଗତସିଂପୁର ଜିଲ୍ଲାପାଳ ଜେ ସୋନାଲ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଓ AMNS India, IOCL, JSW ର ଅଧିକାରୀ ମାନେ ଉପସ୍ଥିତ ରହି ସମସ୍ତ ବୈଠକରେ ଅଂଶଗ୍ରହଣ କରିଥିଲେ।ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶରେ ଏହି ପ୍ରକଳ୍ପଗୁଡିକର ଗତି ତ୍ୱରାନ୍ୱିତ ହେବା, ସମସ୍ତ କାର୍ଯ୍ୟ ଯଥାଶୀଘ୍ର ସମାଧାନ ହେବା ସହ ଓଡ଼ିଶାର ଅର୍ଥନୀତିକୁ ନୂତନ ଗତି ମିଳିବ ବୋଲି ଅନୁମାନ କରାଯାଉଛି।





